ଇନ୍ଦୋରର ଚଇଥ୍ରାମ ଓ କବିତଖେଡ଼ିର ବାୟୋ ସିଏନଜି ପ୍ଲାଂଟ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ


ଇନ୍ଦୋର/ନୂଆଦିଲ୍ଲୀ, – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମଧ୍ୟପ୍ରଦେଶର ଇନ୍ଦୋର ସହର ଗସ୍ତ କରି ଏକ ବୈଠକରେ ଯୋଗଦେବା ସହ ଚଇଥ୍ରାମର ଦୈନିକ ୨୦ ଟନ କ୍ଷମତା ବିଶିଷ୍ଟ ବାୟୋ-ସିଏନଜି ପ୍ଲାଂଟ, କବିତଖେଡ଼ିର ଦୈନିକ ୧୫ ଟନ କ୍ଷମତା ବିଶିଷ୍ଟ ବାୟୋ-ସିଏନଜି ପ୍ଲାଂଟ ଗସ୍ତ କରି ପ୍ଲାଂଟର ପରିଚାଳନା କାର୍ଯ୍ୟ ତଦାରଖ କରିଛନ୍ତି । ଏହାସହ ଦେବଗରୁଡ଼ିଆରେ ଥିବା ଦୈନିକ ୫୦୦ ଟନ୍ ବିଶିଷ୍ଟ ଶୁଖିଲା ବର୍ଜ୍ୟବସ୍ତୁ ପୃଥକକରଣ ସୁବିଧା ଅଂଚଳ ମଧ୍ୟ ପରିଦର୍ଶନ କରିଛନ୍ତି ଶ୍ରୀ ପ୍ରଧାନ ।
ଏହି ସବୁ ପ୍ଲାଂଟ ପରିଦର୍ଶନ ପରେ ସେ କହିଛନ୍ତି ଯେ ଚୋଇଥ୍ରାମ ବାୟୋ ମିଥାନେସନ ପ୍ଲାଂଟରୁ ଆଖପାଖ ପରିବା ବଜାରୁ ସଂଗ୍ରହିତ ଓଦା ବର୍ଜ୍ୟବସ୍ତୁ ବ୍ୟବହାର କରାଯାଇ ଦୈନିକ ୭୦୦ କିଲୋଗ୍ରାମ ବାୟୋ –ସିଏନଜି ଉତ୍ପାଦନ କରାଯାଇଥାଏ ।
ସେହିପରି ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଇନ୍ଦୋର ମହାନିଗର ନିଗମ(ଆଇଏମସି), ଇଣ୍ଡିଆନ ଅଏଲର ଅଫିସର ଏବଂ ପେଟ୍ରୋଲିୟମ ଏବଂ ଗ୍ୟାସ ଶିଳ୍ପର ଅନେକ ଅଂଶୀଦାରଙ୍କ ସହ ମିଳିତ ଭାବରେ ଆଲୋଚନା କରିଛନ୍ତି । ଏହି ବୈଠକରେ ଲୋକଙ୍କ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ସ୍ୱଚ୍ଛ ପରିବେଶକୁ ନିଶ୍ଚିତ କରିବାରେ ବର୍ଜ୍ୟବସ୍ତୁ ପୃଥକକରଣ ଏବଂ ପରିଚାଳନାରେ ଆଇଏମସିର ଉଦ୍ୟମ ଉପରେ ଅନ୍ତର୍ନିହିତ ଆଲୋଚନା ହୋଇଥିଲା । ଉଲ୍ଲେଖନୀୟ ଯେ ଏହି ବୈଠକରେ ଇନ୍ଦୋର ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ବର୍ଜ୍ୟବସ୍ତୁରୁ ଉର୍ଜା ପ୍ଲାଂଟ ପ୍ରତିଷ୍ଠା ଉପରେ ଏକ ପ୍ରେଜେନଟେଂସନ ପ୍ରସ୍ତୁତ ହୋଇଥିଲା ।
ଏହି ଅବସରରେ ସେ କହିଛନ୍ତି ଯେ ଇନ୍ଦୋର ମହାନିଗର ନିଗମ ବା ଆଇଏମସି ପକ୍ଷରୁ ସହରରେ ପ୍ରତିଦିନ ଅଳିଆ ଆବର୍ଜନାକୁ ହଟାଯାଇ ଶତପ୍ରତିଶତ ଘରୋଇ ବର୍ଜ୍ୟବସ୍ତୁକୁ ପୃଥକ କରାଯାଇପାରିଛି । ଏହି ବର୍ଜ୍ୟବସ୍ତୁକୁ କମ୍ପୋଷ୍ଟ ଏବଂ ଇନ୍ଧନ ଭଳି ବ୍ୟବହାର ଯୋଗ୍ୟ ଉତ୍ପାଦରେ ପରିଣତ କରାଯାଉଛି । ଭାରତ ସରକାରଙ୍କ ସତତ୍ କାର୍ଯ୍ୟକ୍ରମ ଅଧୀନରେ ନିଆଯାଉଥିବା ଏହି ସବୁଜ ପଦକ୍ଷେପ ଗୁଡ଼ିକ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ସହ ଲୋକଙ୍କ ସ୍ୱାସ୍ଥ୍ୟ ସୁବିଧାରେ ମଧ୍ୟ ସହାୟକ ହେବ । ଏହା ବ୍ୟତିତ ବର୍ଜ୍ୟୁବସ୍ତୁରୁ ଅର୍ଥ ଉତ୍ପାଦନ କରାଯିବା ସହ ଗ୍ରାମାଚଂଳ ଏବଂ ସହରାଚଂଳରେ ରୋଜଗାର ସୃଷ୍ଟି ହେବ ଓ ମହିଳା ମାନଙ୍କୁ ମଧ୍ୟ ସଶକ୍ତ କରିବା ଦିଗରେ ଏହି ପଦକ୍ଷେପ ବଡ ଭୂମିକା ଗ୍ରହଣ କରିବ ।


Share It

Comments are closed.