ଆଣ୍ଟାର୍କଟିକାରେ ପ୍ରଥମ ଥର ଅବତରଣ କଲା ବାଣିଜ୍ୟିକ ବିମାନ


ବରଫାବୃତ ଆଣ୍ଟାର୍କଟିକାରେ ଏକ ବାଣିଜ୍ୟିକ ବିମାନ ପ୍ରଥମ ଥର ପାଇଁ ଅବତରଣ କରିଛି । ପାଇଲଟର କାର୍ଲୋସ ମିରପୁରି ଏବଂ ତାଙ୍କର ଅନ୍ୟ ସହ କର୍ମଚାରୀଗଣ କେପଟାଉନରୁ ୪୫୦୬ କିଲୋମିଟର ଯାତ୍ରା କରିବାର ପ୍ରାୟ ୫ ଘଣ୍ଟା ପରେ ଆଣ୍ଟାର୍କଟିକାରେ ଅବତରଣ କରିଥିଲେ । ହାଇ ଫ୍ଲାଇ ବିମାନ ଚଳାଚଳ ସଂସ୍ଥା ବିମାନ ପରିଚାଳନା ସହିତ ରକ୍ଷଣାବେକ୍ଷଣ, ଲଜିଷ୍ଟିକ୍ସ ଏବଂ ବୀମା ଆଦି ପରିଚାଳନା କରୁଥିବା ଜଣାଯାଇଛି । ଆଣ୍ଟାର୍କଟିକା ଯିବା ପୂର୍ବରୁ ପାଇଲଟ ଓ ଅନ୍ୟ କର୍ମଚାରୀମାନେ ଦୀର୍ଘମାସ ଧରି ଏଥିପାଇଁ ପ୍ରସ୍ତୁତି ଚଳାଇଥିଲେ ।

ପାଇଲଟ ମିରପୁର କହିଛନ୍ତି, ଆଣ୍ଟାର୍କଟିକା ଅଭିଯାନ ସେମାନଙ୍କ ମନରେ ଯଥେଷ୍ଟ ଉତ୍କଣ୍ଠା ସୃଷ୍ଟି କରିଥିଲା, ଯେଉଁଥିପାଇଁ ସେମାନେ ନିଜକୁ ଅତ୍ୟନ୍ତ ନିଖୁଣ ଭାବରେ ପ୍ରସ୍ତୁତ କରିଥିଲେ । ତେବେ ଆଣ୍ଟାର୍କଟିକାର ବରଫ ଉପରେ ଅବତରଣ କରିବା ଆଦୌ ସହଜ ନଥିଲା । ବିମାନ ଅବତରଣ ପୂର୍ବରୁ ସେଠାରେ ଅସ୍ଥାୟୀ ଭାବରେ ଏକ ରନେଓ ନିର୍ମାଣ କରାଯାଇଥିଲା । ସେଠାରେ ବିମାନକୁ ଅତ୍ୟନ୍ତ ଯତ୍ନର ସହିତ ଅବତରଣ କରିବାକୁ ପଡିଥିଲା । ପ୍ରଥମ ଥର ଅବତରଣ ପରେ ଏଣିକି ସେଠାକୁ ଛୋଟ ଛୋଟ ଗୋଷ୍ଠୀରେ ପର୍ଯ୍ୟଟକଙ୍କୁ ପରିବହନ କରିବା ସମ୍ଭବ ହୋଇପାରିବ ବୋଲି କୁହାଯାଉଛି ।


Share It

Comments are closed.