କରୋନାରୁ ସୁସ୍ଥ ହୋଇଥିବା ୫୧ ଜଣ ପୁଣିଥରେ କରୋନା ଆକ୍ରାନ୍ତ


କରୋନା ଭାଇରସ୍ ସହ ଯୁଦ୍ଧରେ ଅନେକ ପ୍ରଶଂସା ସାଉଁଟିଥିବା ଦକ୍ଷିଣ କୋରିଆ ପାଇଁ ଏବେ ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି । ଦକ୍ଷିଣ କୋରିଆରେ କରୋନା ଭାଇରସରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ୫୧ ଜଣ ଲୋକ ପୁଣିଥରେ ଏହି ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ କରୋନା ଭୁତାଣୁ ମଣିଷ ଶରୀରରେ ଲୁଚି ରହିଥାଏ ଓ ଏହା କେବେ ବି ସାମ୍‌ନାକୁ ଆସିପାରେ । ସୂଚନା ଅନୁଯାୟୀ, ଦକ୍ଷିଣ କୋରିଆର ଡାଇଗୋ ଓ ଉତର ଗ୍ୟେଓଙ୍ଗସାଙ୍ଗ୍ ପ୍ରାନ୍ତକୁ ଲାଗିଥିବା ଅଂଚଳରେ ୫୧ ଜଣ ଲୋକ ପୁଣିଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଅଂଚଳ ଦକ୍ଷିଣ କୋରିଆରେ କରୋନାର ହଟ୍‌ସ୍ପଟ୍ ବୋଲି କୁହାଯାଉଛି । ଦକ୍ଷିଣ କୋରିଆର ରୋଗ ପ୍ରତିରୋଧ କେନ୍ଦ୍ରର ନିର୍ଦ୍ଦେଶକ ଜିଓଙ୍ଗ ଉନ୍ କ୍ୟୋଙ୍ଗ୍‌, କରୋନା ଭୁତାଣୁ ପୁଣିଥରେ ଶରୀରରେ ସକ୍ରିୟ ହୋଇଥିବା ଆଶଙ୍କା ବ୍ୟକ୍ତ କରିଛନ୍ତି । ଏମାନେ ପୁଣିଥରେ କରୋନାରେ ସଂକ୍ରମିତ ହୋଇନାହାନ୍ତି ବରଂ ସେମାନଙ୍କ ଶରୀରରେ କରୋନା ଭୁତାଣୁ ଲୁଚି ରହିଥାଇପାରେ ବୋଲି ସେ କହିଛନ୍ତି । ଦକ୍ଷିଣ କୋରିଆର ସ୍ୱାସ୍ଥ୍ୟ ଅଧିକାରୀମାନେ ଏବେ ଡାଇଗୋ ଗସ୍ତ କରି ମାମଲାର ଯାଂଚ କରୁଛନ୍ତି ।


Share It

Comments are closed.