ଗତବର୍ଷ ତୁଳନାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣରେ ୧୩ ପ୍ରତିଶତ ବୃଦ୍ଧି


ଭୁବନେଶ୍ୱର : ୨୦୨୦-୨୧ ଖରିଫ ବିପଣନ ଋତୁରେ ମୂଲ୍ୟ ସହାୟକ ଯୋଜନାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣ ଗତବର୍ଷ ତୁଳନାରେ ଉଲ୍ଲେଖନୀୟ ୧୩ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦-୨୧ ଖରିଫ ଧାନ ସଂଗ୍ରହ ପାଇଁ ଆଦ୍ୟବିଧି ମୋଟ ୧୪ ଲକ୍ଷ ୨ ହଜାର ୨୦୫ ଜଣ ଚାଷୀ ଅନଲାଇନ ଜରିଆରେ ସେମାନଙ୍କ ନାମ ପଂଜୀକରଣ କରିଛନ୍ତି । ଗତ ବର୍ଷ ୨୦୧୯-୨୦ ଖରିଫ ଧାନ ନିମନ୍ତେ ୧୨ ଲକ୍ଷ ୩୫ ହଜାର ୯୦୮ ଜଣ ଚାଷୀ ନାମ ପଂଜୀକରଣ କରିଥିଲେ । କୋଭିଡ-୧୯ ସ୍ଥିତିରେ ସରକାରଙ୍କ ସମସ୍ତ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱ ଅନୁପାଳନ କରି ବିଭାଗ ଦ୍ୱାରା ପ୍ୟାକ୍ସ ଓ ଲ୍ୟାମ୍ପସ ମାଧ୍ୟମରେ ୬୬ ହଜାର ୨୯୭ ଜଣ ଅଧିକ ଚାଷୀ ସେମାନଙ୍କ ଖରିଫ ଧାନ ବିକ୍ରି ନିମନ୍ତେ ନାମ ପଂଜୀକରଣ କରିଥିବାରୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତ କୃଷକ ଭାଇ ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।
ରାଜ୍ୟରେ ୩୦ଟି ଜିଲ୍ଲାରେ ଖରିଫ ଦାନ ସଂଗ୍ରହ ନିମନ୍ତେ ୨୮୫୨ଟି ପ୍ୟାକ୍ସ ଜରିଆରେ ନାମ ପଂଜୀକରଣ କାର୍ଯ୍ୟ କରାଯାଉଛି । ୨୦୨୦-୨୧ ଖରିଫ ଧାନ ସଂଗ୍ରହ ନିମନ୍ତେ ରାଜ୍ୟର ପ୍ରାୟ ପ୍ରତିଟି ଜିଲ୍ଲାରେ ଗତବର୍ଷ ତୁଳନାରେ ନାମ ପଂଜୀକରଣ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ନୂଆପଡା ଜିଲ୍ଲାରେ ଉଲ୍ଲେଖନୀୟ ୩୫ ପ୍ରତିଶତ ବୃଦ୍ଧି ପାଇଛି । ଏତଦବ୍ୟତୀତ ବଲାଙ୍ଗୀର ଓ ଯାଜପୁର ଜିଲ୍ଲାରେ ୨୯ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ମୟୁରଭଞ୍ଜ ଜିଲ୍ଲାରେ ୨୮ ପ୍ରତିଶତ, ଝାରସୁଗୁଡାରେ ୨୩ ପ୍ରତିଶତ, ଦେବଗଡ ଜିଲ୍ଲାରେ ୨୨ ପ୍ରତିଶତ, ଭଦ୍ରକରେ ୨୦ ପ୍ରତିଶତ, ଢେଙ୍କାନାଳରେ ୧୯ ପ୍ରତିଶତ, ଜଗତସିଂହପୁର ଓ କୋରପୁଟରେ ୧୮ ପ୍ରତିଶତ ଲେଖାଏଁ ନାମ ପଂଜୀକରଣ ବୃଦ୍ଧି ପାଇଛି । ସେହିପରି କଟକ ଜିଲ୍ଲାରେ ଚାଷୀ ନାମ ପଂଜୀକରଣ ୧୭ ପ୍ରତିଶତ, ସମ୍ବଲପୁରରେ ୧୬ ପ୍ରତିଶତ, ବାଲେଶ୍ୱର ୧୫ ପ୍ରତିଶତ, ବରଗଡରେ ୧୫ ଓ ସୁନ୍ଦରଗଡରେ ୧୩ ପ୍ରତିଶତ ବୃଦ୍ଧି ପାଇଛି ।


Share It

Comments are closed.