୨୪ରେ କୃଷି ଆଇନ ପ୍ରତ୍ୟାହାରକୁ ମିଳିବ କ୍ୟାବିନେଟ୍‌ ମଞ୍ଜୁରି


ଆସନ୍ତା ବୁଧବାର ଅନୁଷ୍ଠିତ ହେବ କେନ୍ଦ୍ର କ୍ୟାବିନେଟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କୃଷି ଆଇନ ପ୍ରତ୍ୟାହାର ସଂକ୍ରାନ୍ତ ବିଧେୟକକୁ ମଞ୍ଜୁରି ମିଳିବାର ସମ୍ଭାବନା ରହିଛି । କ୍ୟାବିନେଟ ମଞ୍ଜୁରି ପରେ ଉକ୍ତ ବିଧେୟକକୁ ଆସନ୍ତା ୨୯ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ସଂସଦର ଶୀତକାଳୀନ ଅଧିବେଶନରେ ଆଗତ କରାଯିବ ।

ଗତ ଶୁକ୍ରବାର ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ତାଙ୍କ ସରକାର ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଥିବା ବିଷୟରେ ଘୋଷଣା କରିଥିଲେ । ଏଥିସହିତ ସଂସଦର ଶୀତ ଅଧିବେଶନରେ ଏଥିପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସେ କହିଥିଲେ । ଗତବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ଏହି ୩ ନୂଆ କୃଷି ଆଇନ ଆଣିଥିଲେ । ମାତ୍ର ଚାଷୀମାନେ ଏହାକୁ ବିରୋଧ କରିବା ସହ ପ୍ରାୟ ୧ ବର୍ଷ ହେଲା କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ସରକାର କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ ମଧ୍ୟ ଚାଷୀମାନେ ଅନ୍ୟ ଦାବି ପୂରଣ ଉପରେ ଅଟଳ ରହିଛନ୍ତି । ତେଣୁ ସେମାନେ ପ୍ରସ୍ତାବିତ ର‌୍ୟାଲି, ସମାବେଶ ଓ ଟ୍ରାକ୍ଟର ର‌୍ୟାଲି କରିବେ ବୋଲି କହିଛନ୍ତି ।

ଚାଷୀ ଆନ୍ଦୋଳନର ନେତୃତ୍ୱ ନେଇଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ନେତା ବଲବୀର ସିଂହ ରାଜେୱାଲ କହିଛନ୍ତି ଯେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଲାଗି ଆଜି ସିଂଘୁ ସୀମାରେ ମୋର୍ଚ୍ଚାର ଏକ ବୈଠକ ବସିଥିଲା । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତାକାଲି ସେମାନେ ଲକ୍ଷ୍ନୌର ଇକୋ ଗାର୍ଡେନରେ ମହାପଞ୍ଚାୟତ କରିବେ । ଆସନ୍ତା ୨୬ ତାରିଖରେ ଚାଷୀ ଆନ୍ଦୋଳନକୁ ୧ ବର୍ଷ ପୂରୁଥିବାରୁ ଏହି ଦିନ ଦେଶର ବିଭିନ୍ନ ସ୍ଥାନରେ ଚାଷୀ ସମାବେଶ ଆୟୋଜିତ ହେବ ।

ସେହିଭଳି ଆସନ୍ତା ୨୯ ତାରିଖରୁ ପ୍ରତିଦିନ ୫୦୦ ଚାଷୀ ସଂସଦ ଭବନ ପର୍ଯ୍ୟନ୍ତ ଟ୍ରାକ୍ଟର ର‌୍ୟାଲି କରିବେ । ତେବେ ଆସନ୍ତା ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ଅନ୍ୟ ଏକ ପର୍ଯ୍ୟାୟ ବୈଠକ ବସିବ ବୋଲି ସେ କହିଛନ୍ତି । ଏମ୍‌ଏସ୍‌ପି ଉପରେ ସରକାର ଘୋଷଣା କରିଥିବା କମିଟିର ରୂପରେଖ, ସମୟସୀମା ଓ କାର୍ଯ୍ୟ ବିଷୟରେ ଜଣାଇବା, ବିଦ୍ୟୁତ (ସଂଶୋଧନ)ବିଲ୍‌ ୨୦୨୦ ପ୍ରତ୍ୟାହାର, ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ଓ ଲକ୍ଷ୍ମୀପୁର ଖେରି ଚାଷୀ ହିଂସା ଘଟଣାରେ ସମ୍ପୃକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏସ୍‌କେଏମ୍‌ ପକ୍ଷରୁ ଦାବି କରାଯାଇଛି ।


Share It

Comments are closed.