କିପରି ହଟିବ ଲକ୍‌ଡାଉନ୍, ଜାଣନ୍ତୁ କଣ ରହିଛି କେନ୍ଦ୍ର ସରକାରଙ୍କ ରଣନୀତି

ପ୍ରସ୍ତୁତ ହେଉଛି ରେଡ୍‌, ଅରେଞ୍ଜ ଓ ଗ୍ରୀନ୍ ଜୋନ୍‌


ଦେଶରେ କରୋନା ଭାଇରସ୍‌ର ସଂକ୍ରମଣ ଦ୍ରୁତ ବେଗରେ ବଢିବାରେ ଲାଗିଛି । ଭାରତରେ ଏହି ସଂକ୍ରମଣ ଯୋଗୁଁ ବର୍ତମାନ ସୁଦ୍ଧା ୨୭୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୪୪୭ ଜଣ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଂଟାରେ ଦେଶରେ ମୋଟ ୯୦୯ ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଦେଶରେ କରୋନାର ବର୍ଦ୍ଧିତ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୧ ଦିନର ଲକ୍‌ଡାଉନ୍‌କୁ ବଢାଇବାକୁ ବିଚାର କରୁଛନ୍ତି । ଏହି ଲକ୍‌ଡାଉନ୍ ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି । ଏହାମଧ୍ୟରେ ଲକ୍‌ଡାଉନ୍ ହଟାଇବା ପାଇଁ ଅନେକ ପର୍ଯ୍ୟାୟରେ କାମ ଆରମ୍ଭ ହୋଇଛି । ଏଥିପାଇଁ ଦେଶକୁ ୩ଟି ଜୋନ୍‌ରେ ବାଂଟିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି ।

ଏହା ଅଧୀନରେ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ପ୍ରସ୍ତୁତ କରାଯାଉଛି । ଲକ୍‌ଡାଉନ୍‌କୁ ଏହି ଜୋନ୍ ହିସାବରେ ଲାଗୁ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀମାନଙ୍କର ହୋଇଥିବା ବୈଠକରେ ଲକ୍‌ଡାଉନ୍‌କୁ ଆଉ ଦୁଇ ସପ୍ତାହ ବଢାଇବା ପାଇଁ ସହମତି ହୋଇଥିଲା କିନ୍ତୁ ଲକ୍‌ଡାଉନ୍‌କୁ ଧିରେ ଧବରେ ହଟାଇବାକୁ ମଧ୍ୟ ଦାବି ହୋଇଥିଳା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜାନ୍ ଭି ଜାହାନ୍ ଭି’ ମତ ରଖି ସ୍ପଷ୍ଟ କରିଛନ୍ତି ଯେ, ସେ କରୋନା ସଂକ୍ରମଣରୁ ଲୋକଙ୍କୁ ବଂଚାଇବା ସହ ସେମାନଙ୍କର ଜୀବିକା ଓ ଅର୍ଥବ୍ୟବସ୍ଥାକୁ ମଧ୍ୟ ବଂଚାଇବାକୁ ଚାହୁଁଛନ୍ତି । ତେଣୁ ଏବେ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରାଯିବ ।

ବୈଠକରେ କୁହାଯାଇଛି ଯେ, ଦେଶରେ ୪୦୦ ଜିଲ୍ଲା ଏଭଳି ରହିଛି ଯେଉଁଠାରେ କରୋନାର କୌଣସି ମାମଲା ନାହିଁ, ତାହାକୁ ଗ୍ରୀନ୍ ଜୋନ୍ କରାଯିବ । ଏଥିସହିତ କରୋନାର ଅଧିକ ମାମଲା ଥିବା ୭୫ଟି ଜିଲ୍ଲାକୁ ରେଡ୍ ଜୋନ୍ ନାମିତ କରାଯିବା ସହ କମ୍ ମାମଲା ଥିବା ଜିଲ୍ଲାଗୁଡିକୁ ଅରେଞ୍ଜ ଜୋନ୍ କରାଯିବ । ଏହି ବର୍ଗୀକରଣ ଅନୁସାରେ, ଗତିବିଧି ପାଇଁ ଅନୁମତି ମିଳିବ । ତେବେ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ଏବେ ଯାତାୟତ ଆରମ୍ଭ କରିବା ସପକ୍ଷରେ ନାହାନ୍ତି । କିନ୍ତୁ ଗ୍ରୀନ୍ ଜୋନ୍‌ରେ ଚାଷ କାମ, ଲଘୁ ଓ କ୍ଷୁଦ୍ର ଶିଳ୍ପ ତଥା ମଦ ଦୋକାନ ଖୋଲାଯିବାର ସମ୍ଭାବନା ରହିଛି । ଅରେଞ୍ଜ ଜୋନ୍‌ରେ ନିୟନ୍ତ୍ରିତ ସଂଖ୍ୟାରେ ଜନ ସାଧାରଣଙ୍କ ପାଇଁ ଗତିବିଧି ଆରମ୍ଭ ହୋଇପାରେ । କିନ୍ତୁ ରେଡ୍ ଜୋନ୍‌ରେ ଏବେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଜାରି ରହିବ । ସେହିପରି ସ୍କୁଲ, କଲେଜ,ବିମାନ ଯାତ୍ରା, ରେଳ ଓ ବସ୍ ସେବା ଆଦି ମଧ୍ୟ ବନ୍ଦ ରହିବ । ସରକାର ଆସନ୍ତା ୪୮ ଘଂଟା ମଧ୍ୟରେ ଏସମ୍ପର୍କରେ ବିସ୍ତୃତ ଦିଶାନିର୍ଦ୍ଦେଶ ଜାରି କରିପାରନ୍ତି ।


Share It

Comments are closed.