ବିଶ୍ୱକପ ସ୍କ୍ୱାଡରେ ସାମିଲ ହେବାପରେ ଭାବବିହ୍ୱଳ ହୋଇପଡିଲେ ଦିନେଶ କାର୍ତ୍ତିକ


ଅଷ୍ଟ୍ରେଲିଆରେ ଆସନ୍ତା ମାସରେ ହେବାକୁ ଥିବା ଟ୍ୱେଣ୍ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସ୍କ୍ୱାଡ ଘୋଷଣା କରିବା ସହିତ ୪ ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଏରେ ମଧ୍ୟ ରଖିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ଖାସ୍‌ କଥା ହେଉଛି ଆହତ କାରଣରୁ ଏସିଆ କପ୍‌ରୁ ବାଦ୍‌ ପଡିଥିବା ଜସପ୍ରୀତ ବୁମରାହ ଏବଂ ହର୍ଷଲ ପଟେଲ ଟିମ୍‌ରେ ସାମିଲ ହୋଇଛନ୍ତି । ଅଭିଜ୍ଞ ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ଟିମରେ ସ୍ଥାନ ମିଳିଛି ।

ଦିନେଶ କାର୍ତ୍ତିକ ସେତେବେଳେ ବି ଟିମ୍‌ ଇଣ୍ଡିଆର ସଦସ୍ୟ ଥିଲେ ଯେତେବେଳେ କି ୨୦୦୭ ମସିହାରେ, ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଥିଲା ଭାରତ । ୧୫ ବର୍ଷ ପରେ ଏବେ ପୁଣି ଥରେ କାର୍ତ୍ତିକଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ସ୍କାଡରେ ସାମିଲ ହେବା ପରେ କାର୍ତ୍ତିକ ଭାବ ବିହ୍ୱଳ ହୋଇଯାଇଛନ୍ତି । ଟ୍ୱିଟ କରି ଡିକେ ଲେଖିଛନ୍ତି, ‘ସ୍ୱପ୍ନ ସତ ହୁଏ’। ସେପଟେ କାର୍ତ୍ତିକଙ୍କ ଟ୍ୱିଟ ପରେ ପାଣ୍ଡ୍ୟା ମଧ୍ୟ ଦିନେଶଙ୍କ ଉଦ୍ଦେଶ୍ୟରେ ଟ୍ୱିଟ କରି ଲେଖିଛନ୍ତି, ‘ଚାମ୍ପିୟନ’ । ଏସିଆ କପ୍‌ରେ ମିଳିନଥିଲା ଅଧିକ ସୁଯୋଗ:

ଦିନେଶ କାର୍ତ୍ତିକଙ୍କୁ ଏସିଆ କପ୍‌ ୨୦୨୨ରେ ଅଧିକ ସୁଯୋଗ ମିଳିନଥିଲା । କିନ୍ତୁ ଟି-୨୦ ବିଶ୍ୱକପ ପୂର୍ବରୁ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଗସ୍ତ ଥିବା ବେଳେ ସେଥିରେ ସେ ଭଲ ପ୍ରଦର୍ଶନ କରି ବିଶ୍ୱକପ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବାକୁ ପ୍ରୟାସ କରିବେ । ଅନ୍ୟପଟେ ଆଲୋଚନା ବି ହେଉଛି ଯେ, ବିଶ୍ୱକପରେ ଭାରତର ନମ୍ବର ୱାନ ୱିକେଟ  କିପର କିଏ ହେବେ? ତେଣୁ ସାଉଥ୍‌ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ସିରିଜ୍‌ ପରେ ତାହା ସ୍ପଷ୍ଟ ହୋଇଯିବ ।

ଅନ୍ୟପଟେ ଯଦି କାର୍ତ୍ତିକ ଏବଂ ପନ୍ତ ଉଭୟଙ୍କୁ ପ୍ଲେଇଂ ଇଲେଭେନରେ ରଖାଯାଏ ତେବେ ପଞ୍ଚମ ବୋଲିଂ ବିକଳ୍ପ ଭାବେ କେବଳ ପାଣ୍ଡ୍ୟାଙ୍କୁ ହିଁ ନିଆଯାଇପାରିବ । କିନ୍ତୁ ପାଣ୍ଡ୍ୟା ବ୍ୟାଟ୍‌ରେ କମାଲ କରିଛନ୍ତି, ବୋଲିଂରେ ଆଦୌ ପ୍ରଭାବିତ କରିନଥିବା ନିକଟରେ ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ବୋଲିଂ ବିକଳ୍ପ ରଖିବ ଟିମ୍‌ ଇଣ୍ଡିଆ । କାର୍ତ୍ତିକ କିନ୍ତୁ ବେଷ୍ଟ୍‌ ଫିନିସରର ଭୂମିକା ତୁଲାଇ ସାରିଛନ୍ତି । କିନ୍ତୁ ପନ୍ତଙ୍କ ବ୍ୟାଟରୁ ସେଭଳି ବଡ ଇନିଂସ ଦେଖିବାକୁ ମିଳିନାହିଁ । ଏପରି ସ୍ଥିତିରେ ମ୍ୟାନେଜମେଣ୍ଟ କାହା ଉପରେ ଆସ୍ଥା ପ୍ରକଟ କରିବ ତାହା ବଡ ପ୍ରଶ୍ନ ।

ଟିମ୍‌ ଇଣ୍ଡିଆ ସ୍କାଡ : ରୋହିତ ଶର୍ମା (ଅଧିନାୟକ), ଲୋକେସ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର୍), ଦିନେଶ କାର୍ତ୍ତିକ (ୱିକେଟ କିପର୍), ହାର୍ଦ୍ଧିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ ଏବଂ ଅର୍ଶଦୀପ ସିଂହ

ଷ୍ଟାଣ୍ଡ ବାଏ ଖେଳାଳି: ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋୟୀ ଏବଂ ଦୀପକ ଚହର


Share It

Comments are closed.