ଆପଣଙ୍କର ମଧ୍ୟ ରହିଛି କି ବାସି ଖାଦ୍ୟ ଖାଇବାର ଅଭ୍ୟାସ? ତେବେ ଜାଣି ରଖନ୍ତୁ ଏହାର ପ୍ରଭାବ ବିଷୟରେ
ବ୍ୟସ୍ତବହୁଳ ଜୀବନ ଓ କାମର ପ୍ରଭାବରେ ଅଧିକାଂଶ ଲୋକେ ଏକାସହ ଅଧିକ ଖାଦ୍ୟ ପ୍ରସ୍ତୁତ କରି ଫ୍ରିଜରେ ରଖି ଏହାର ସେବନ କରିଥାଆନ୍ତି। ଅନେକ ଲୋକଙ୍କ ଏହା ଏକ ଅଭ୍ୟାସ ମଧ୍ୟ। ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ପ୍ରସ୍ତୁତି ପରେ ୩ ଘଣ୍ଟା ମଧ୍ୟରେ କିମ୍ବା ଗୋଟିଏ ଦିନରେ ତାହାକୁ ସେବନ କରିବା ଉଚିତ୍। କିଛି ସ୍ୱତନ୍ତ୍ର ଖାଦ୍ୟ ଡବାରେ ପ୍ରସ୍ତୁତ ଖାଦ୍ୟକୁ ରଖିଲେ ମଧ୍ୟ ତାହା ସତେଜ ରଖିନଥାଏ।
ଫ୍ରିଜ ମଧ୍ୟ ଯେକୌଣସି ଖାଦ୍ୟକୁ ୪୮ ଘଣ୍ଟାରୁ ଅଧିକ ସମୟ ଯାଏଁ ସତେଜ ରଖିପାରିନଥାଏ। ମାତ୍ର ଫ୍ରିଜରେ ରଖିଥିବା ଖାଦ୍ୟକୁ ବାରମ୍ବାର ଗରମ କରି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଆୟୁର୍ବେଦରେ ବାସି ଖାଦ୍ୟକୁ ନକରାତ୍ମକ ଖାଦ୍ୟ ବୋଲି କୁହାଯାଏ। ତେଣୁ ଏହାର ସେବନ ଦ୍ୱାରା ଆଳସ୍ୟ, ଥକ୍କାପଣ ଅନୁଭବ ହୋଇଥାଏ। ସାଧାରଣତଃ ଖାଦ୍ୟ ପ୍ରସ୍ତୁତି ହେବାର କିଛି ଘଣ୍ଟା ମଧ୍ୟରେ ଏହାର ସେବନ କରିବା ଉଚିତ। ଏପରି କରିବା ଦ୍ୱାରା ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ଶରୀରରୁ ସଠିକ ଭାବେ ମିଳିପାରିଥାଏ।
ବିଶେଷଜ୍ଞଙ୍କ ମତରେ ବଳକା ତଥା ବାସି ଖାଦ୍ୟରେ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ସେଥିରେ ଶକ୍ତିପ୍ରଦାନ କରୁଥିବା ଭିଟାମିନ ଖୁବ୍ କମ୍ ପରିମାଣରେ ଥାଏ। ଲଗାତାର ବାସି ଖାଦ୍ୟ ସେବନ ଦ୍ୱାରା ମାନ୍ଦା , ଥକ୍କାପଣ ଓ ଅଳସୁଆ ଅନୁଭବ ହୋଇଥାଏ।
କିଛି ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ପ୍ରତ୍ୟେକ ଦିନ ବାସି ଖାଦ୍ୟ ଖାଇଥାଆନ୍ତି ସେମାନଙ୍କ ନିକଟରେ କ୍ଲିନିକାଲ ଡିପ୍ରେସନ (ଏକ ପ୍ରକାର ମାନସିକ ଅସୁସ୍ଥତା)ର ସମ୍ଭାବନା ଅଧିକ ଥାଏ। ମୁଖ୍ୟତଃ ଏହି କାରଣରୁ ପୁରାତନ ସମୟରେ ଲୋକେ ସର୍ବଦା ପ୍ରସ୍ତୁତ ହୋଇଥିବା ସତେଜ ଖାଦ୍ୟ ଖାଉଥିଲେ। ବାସି ଖାଦ୍ୟକୁ ନକରାତ୍ମକ ଭୋଜନ ଭାବେ ଗ୍ରହଣ କରାଯିବା ସହ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଉଥିଲା।
ଯେଉଁ ଭୋଜନରେ ଶକ୍ତି ମାତ୍ରା ଆଦୌ ନଥାଏ ତାହାକୁ ମୁଖ୍ୟତଃ ନକରାତ୍ମକ ଭୋଜନ କୁହାଯାଏ। ବାସି ହୋଇଥିବା କାରଣରୁ ଏହି ଖାଦ୍ୟରେ ଶରୀରକୁ ରୋଗ ସହ ଲଢିବାର କ୍ଷମତା ଖୁବ କମ୍ ଥାଏ। ଏହାସହ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ। ଅଧିକ ଖାଦ୍ୟ, ବାସି ଖାଦ୍ୟ, ବାରମ୍ବାର ଗରମ କରି ଖାଉଥିବା ଖାଦ୍ୟ ଆଳସ୍ୟର ଓ ରୋଗର ମୁଖ୍ୟ କାରଣ ବୋଲି କୁହାଯାଏ।
Comments are closed.