ଆଇପିଏଲ ପୂର୍ବରୁ ନିଜର କରୋନା ଟେଷ୍ଟ କରାଇଲେ ଧୋନୀ


ପୂର୍ବତନ ଭାରତୀୟ ଅଧିନାୟକ ତଥା ଆଇପିଏଲ ଟିମ୍ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବୁଧବାର କରୋନା ପରୀକ୍ଷଣ କରାଯାଇଛି। ଧୋନୀଙ୍କ କରୋନା ଟେଷ୍ଟ ଦିନ ବେଳେ ହୋଇଥିଲା ଏବଂ ତାଙ୍କର ରିପୋର୍ଟ ରାତି ସୁଦ୍ଧା ଆସି ଯିବାର ଆଶା ରହିଛି। କିନ୍ତୁ ଖବର ଲେଖାଯିବା ସୁଦ୍ଧା ଧୋନୀଙ୍କ କରୋନା ରିପୋର୍ଟକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ୟୁଏଇ ଯାତ୍ରା କରିବା ପୂର୍ବରୁ ସମସ୍ତ ଆଠ ଫ୍ରାଞ୍ଚାଇଜି ଟିମ୍ ନିଜ ଖେଳାଳି, ସହାୟକ ସଦସ୍ୟ ଓ ପ୍ରବନ୍ଧନ ସଦସ୍ୟଙ୍କ କରୋନା ଟେଷ୍ଟ କରାଉଛନ୍ତି, ଯାହା ଆଧାରରେ ଧୋନୀ ନିଜର କରୋନା ଟେଷ୍ଟ ଆଜି କରାଇଛନ୍ତି।

କରୋନା ଭାଇରସ ମହାମାରୀ କାରଣରୁ ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ ତମ ସଂସ୍କରଣ ମାର୍ଚ୍ଚ ୨୬ରେ ଆରମ୍ଭ ହୋଇ ପାରିନଥିଲା। ଏବେ ୨୦୨୦ ଆଇପିଏଲ ସେପ୍ଟେମ୍ବର ୧୯ ରୁ ନଭେମ୍ବର ୧୦ ମଧ୍ୟରେ ୟୁଏଇରେ ଖେଳାଯିବ। ଆଇପିଏଲର ପ୍ରସ୍ତୁତିରେ ସମସ୍ତ ଫ୍ରାଞ୍ଚାଇଜି ଟିମ୍ ଲାଗି ପଡିଛନ୍ତି। ନିକଟରେ ଖବର ପ୍ରକାଶ ପାଇଥିଲା ଧୋନୀ ରାଞ୍ଚିରେ ଜେଏସସିଏ ଷ୍ଟାଡିୟମରେ ବୋଲିଂ ମେସିନ ଜରିଆରେ ବ୍ୟାଟିଂ ଅଭ୍ୟାସ୍ କରୁଛନ୍ତି।

ଧୋନୀ ଅଗଷ୍ଟ ୧୬ରୁ ଚେପକ ଷ୍ଟାଡିୟମରେ ଆୟୋଜନ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ପାରନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଅଗଷ୍ଟ ୧୬ରୁ ସମସ୍ତ ଖେଳାଳିଙ୍କ ପାଇଁ ଚେପକରେ ପ୍ରଶିକ୍ଷଣ ଶିବିର ଆରମ୍ଭ କରିବା ବିଷୟରେ ଯୋଜନା କରିଛି। ରିପୋର୍ଟ ଅନୁଯାୟୀ ସିଏସକେ ଚେପକରେ ୧୫ ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିରର ଆୟୋଜନ କରୁଛି। ଏହି ଶିବିର ସେପ୍ଟେମ୍ବର ୧୬ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଆୟୋଜିତ ହେବ।

କ୍ୟାମ୍ପ ଆରମ୍ଭ ହେବା ପୂର୍ବରୁ ସମସ୍ତ ଖେଳାଳିଙ୍କୁ ନିଜର ହୋମ୍ ଟାଉନ୍‌ରେ କୋଭିଡ୍-୧୯ ଟେଷ୍ଟ କରିବାକୁ ପଡିବ। ଏହା ପରେ ସେମାନେ ଚେନ୍ନାଇ ପହଞ୍ଚିବେ ଏବଂ ଅଗଷ୍ଟ ୧୭ ଓ ୧୮ରେ ପୁଣି ଥରେ ଟେଷ୍ଟ କରାଇବେ। ଏହା ପରେ ସମସ୍ତ ଖେଳାଳି ୟୁଏଇ ଅଭିମୁଖେ ଅଗଷ୍ଟ ୨୨ରେ ଯାତ୍ରା କରିବେ।


Share It

Comments are closed.