ଲକଡାଉନରେ କୋହଳ ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟକୁ ଆମନ୍ତ୍ରିତ କରିପାରେ –ଗବେଷକଙ୍କ ଚେତାବନୀ

Share It

ବିଶ୍ୱ ସ୍ତରରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ଭାଇରସର ପ୍ରଭାବକୁ ଯଦିଓ ଭାରତ ଏହି ୪୦ ଦିନର ଲକଡାଉନରେ ସୀମିତ କରିପାରିଛି ତଥାପି ଆଗାମୀ ମୌସୁମୀରେ ଭାରତକୁ ଏହି ଭାଇରସର ଦ୍ୱିତୀୟ ପର୍ଯ୍ୟାୟର ସମ୍ମୁଖୀନ ହେବାକୁ ପଡ଼ିପାରେ । ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଜୁଲାଇର ଶେଷ କିମ୍ବା ଅଗଷ୍ଟରେ ହଠାତ୍ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ଦେଖାଦେଇପାରେ ।
ଶିବ ନାଦାର ବିଶ୍ୱ ବିଦ୍ୟାଳୟର ଗଣିତ ବିଭାଗର ଆସୋସିଏଟ ପ୍ରଫେସର ସମିତ ଭଟାଚାର୍ଯ୍ୟଙ୍କ ଅନୁଯାୟୀ ଏହା ସ୍ପଷ୍ଟ ଦେଖାଯାଉଛି ଯେ ପ୍ରତିଦିନ କରୋନାର ନୂଆ ମାମଲାର ଗ୍ରାଫ ଶିଖରକୁ ପହଂଚୁଛି ଏବଂ ଏହା ପୁଣି ତଳକୁ ମଧ୍ୟ ଖସି ଆସିବ । ଏହାକୁ ସମୟ ଲାଗିପାରେ । ତଥାପି ମୌସୁମୀ ସମୟରେ ଜୁଲାଇର ଶେଷ କିମ୍ବା ଅଗଷ୍ଟରେ ପୁଣିଥରେ କରୋନା ଭାଇରସର ଦ୍ୱିତୀୟ ପର୍ଯ୍ୟାୟ ଫେରିପାରେ । କିନ୍ତୁ ଏହାର ସମୟ ଏହା ଉପରେ ନିର୍ଭର କରେ ଯେ ଆମେ କେତେ ସାମାଜିକ ଦୂରତ୍ୱ ପାଳନ କରୁଛୁ ଓ ନିୟନ୍ତ୍ରିତ ରହୁଛୁ ।
ସେହିଭଳି ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ(ଆଇଆଇଏସସି)ର ପ୍ରଫେସର ରାଜେଶ ସୁନ୍ଦରସନ ମଧ୍ୟ ଭଟ୍ଟାଚାର୍ଯ୍ୟଙ୍କ କଥାରେ ଏକମତ । ତାଙ୍କ ମତରେ ଥରେ ସାମାନ୍ୟ ଗତିବିଧି ଆରମ୍ଭ ହୋଇଗଲେ ପୁଣି ସଂକ୍ରମଣ ହେବାର ସମ୍ଭାବନା ବଢ଼ିଯିବ । ଚୀନ କୋହଳ କରିବା ପରେ ଏହିଭଳି ପରିସ୍ଥିତି ଦେଖିସାରିଛି । ଆଇଆଇଏସସି ଓ ଟିଆଇଏଫଆର ର ଗବେଷକଙ୍କ ତରଫରୁ ଏହି ସପ୍ତାହରେ ସାର୍ବଜନୀନ କରାଯାଇଥିବା ଅଧ୍ୟୟନରେ ଲକଡାଉନ ଶେଷ ହେବା ପରେ ମଧ୍ୟ କିଛି ପ୍ରତିବନ୍ଧ ଜାରି ରଖିବାର ସୁପାରିଶ କରାଯାଇଛି ।


Share It

Comments are closed.