କୋଭିଡ୍‌ ଟିକା ମୃତ୍ୟୁ ପାଇଁ ଆଦୌ ଦାୟୀ ନୁହଁନ୍ତି ସରକାର; ସୁପ୍ରିମ୍‌ କୋର୍ଟରେ ଜବାବ ରଖିଲା କେନ୍ଦ୍ର


ସରକାର ଜନହିତରେ ଲୋକମାନଙ୍କୁ କୋଭିଡ୍‌ ଟିକାକରଣ ପାଇଁ ପ୍ରୋତ୍ସାହିତ କରନ୍ତି, କିନ୍ତୁ ଟିକା ନେବା କୌଣସି ଆଇନତଃ ବାଧ୍ୟତାମୂଳକ ନୁହେଁ। କୌଣସି ବ୍ୟକ୍ତି ଉପରେ ଟିକାର ଖରାପ ପ୍ରଭାବ ପାଇଁ ସରକାରଙ୍କୁ ଦାୟୀ କରାଯାଇ ପାରିବ ନାହିଁ। ଏହି କଥା ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି କେନ୍ଦ୍ର ସରକାର। କୋଭିଡ୍‌ ଟିକା ଯୋଗୁ ନିଜର ଝିଅମାନଙ୍କୁ ହରାଇଥିବା ଦୁଇ ଅଭିଭାବକ ସୁପ୍ରିମ୍‌ କୋର୍ଟରେ ପିଟିସନ ଦାଖଲ କରିଥିଲେ, ଯାହାର ଜବାବରେ ସରକାର ଏହି କଥା ସ୍ପଷ୍ଟ କରିଛନ୍ତି। କୋର୍ଟରେ ଦାଖଲ ପିଟିସନରେ ଦାବି କରାଯାଇଥିଲା ଯେ ଦୁଇ ଝିଅଙ୍କ ମୃତ୍ୟୁର ତଦନ୍ତ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଉ ଏବଂ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରିପୋର୍ଟ ତଲବ କରାଯାଉ। ସରକାର ଟିକାକରଣର ଦୁଷ୍ପ୍ରଭାବ ସହ ଜୁଝି ହେଉଥିବା ଲୋକମାନଙ୍କ ଚିକିତ୍ସା ପାଇଁ ନିୟମାବଳୀ ପ୍ରସ୍ତୁତ କରିବା ଉଚିତ।

ଆବେଦନକାରୀଙ୍କ ଓକିଲ କହିଥିଲେ କି, ପ୍ରଥମ ଆବେଦନକାରୀଙ୍କ ୧୮ ବର୍ଷୀୟା ଝିଅକୁ ମେ’ ୨୦୨୧ରେ କୋଭିଶିଲ୍ଡର ପ୍ରଥମ ଡୋଜ୍‌ ମିଳିଥିଲା ଏବଂ ଜୁନ୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଉ ଜଣେ ଆବେଦନକାରୀଙ୍କ ୨୦ ବର୍ଷୀୟା ଝିଅ ମଧ୍ୟ ଜୁନ୍‌ ୨୦୨୧ରେ କୋଭିଶିଲ୍ଡର ପ୍ରଥମ ଡୋଜ୍‌ ନେଇଥିଲେ ଏବଂ ଜୁଲାଇରେ ତାଙ୍କର ମୃତ୍ୟୁ ଘଟିଥିଲା। ସରକାରଙ୍କ କହିବା ହେଲା କି, ଯେମିତି ପ୍ରତ୍ୟେକ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ରହିଥାଏ, ସେମିତି ପ୍ରତ୍ୟେକ ଟିକାର ଦୁଷ୍ପ୍ରଭାବ ବିଷୟରେ ସମସ୍ତ ସୂଚନା ପବ୍ଲିକ ଡୋମେନରେ ଉପଲବ୍ଧ ରହିଛି। ତେଣୁ ଏଠି ପ୍ରଶ୍ନ ବି ଉଠୁ ନାହିଁ ଯେ ଭ୍ୟାକ୍ସିନ ନେବାକୁ ସହମତି ପ୍ରକାଶ କରିଥିବା ଲୋକ ପାଖରେ କୌଣସି ସୂଚନା ନାହିଁ। ଟିକାରେ ସମସ୍ତ ଭୂମିକା ଏହାର ନିର୍ମାତାମାନଙ୍କର, ତେଣୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କୁ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ଦାୟୀ କରିବା ଆଇନସଙ୍ଗତ ନୁହେଁ।

ସରକାର କହିଥିଲେ କି, ଯଦି କ୍ଷତିପୂରଣର ପ୍ରଶ୍ନ ରହିଛି, ତା’ ହେଲେ ପିଟିସନକର୍ତ୍ତା ଏହି ମାମଲାରେ ସିଭିଲ୍‌ କୋର୍ଟ ଯାଇପାରିବେ। ସରକାରଙ୍କ କହିବା ହେଲା, ଚଳିତ ବର୍ଷ ୧୯ ନଭେମ୍ବର ସୁଦ୍ଧା ୨୧୯.୮୬ କୋଟି ଲୋକଙ୍କୁ କୋଭିଡ୍‌ ଭ୍ୟାକ୍ସିନ ଟିକା ଲାଗିଛି। ସେଥି ମଧ୍ୟରୁ ୯୨,୧୧୪ ମାମଲାରେ ପାର୍ଶ୍ୱ ପ୍ରତିକ୍ରିୟା ନଜର ଆସିଛି। ସେଥିରୁ ୮୯,୩୩୨ ମାମଲାରେ ମାମୁଲି ସାଇଡ୍‌ ଇଫେକ୍ଟ ଏବଂ ପ୍ରାୟ ୨୭୮୨ ମାମଲାରେ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି।


Share It

Comments are closed.