ଆମେରିକାରେ କରୋନାର ପ୍ରକୋପ ଜାରି, ୧୬୦୦୦ରୁ ଅଧିକ ମୃତ


ୱାଶିଂଟନ,୧୦ ଏପ୍ରିଲ ୨୦୨୦: କରୋନା ଭାଇରସ୍ ମହାମାରୀରେ ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ବର୍ତମାନ ସୁଦ୍ଧା ଏହି ମାରାତ୍ମକ ଭୁତାଣୁରେ ସଂକ୍ରମିତ ହୋଇ ୧୬୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫ ଲକ୍ଷ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି । ଏହି ସଂକ୍ରମଣ ଯୋଗୁ ଆମେରିକୀୟ ଅର୍ଥବ୍ୟବସ୍ଥା ବ୍ୟାପକ ରୂପେ ପ୍ରଭାବିତ ହୋଇଛି । ମାତ୍ର ୩ ସପ୍ତାହରେ ଏଠାରେ ପ୍ରାୟ ଏକ କୋଟି ୬୦ ଲକ୍ଷ ଲୋକ ରୋଜଗାର ହରାଇଛନ୍ତି । କେବଳ ନ୍ୟୁୟର୍କ ମେଟ୍ରୋପଲିଟାନ ଅଂଚଳରେ ୯୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨,୨୦,୦୦୦ରୁ ଅଧିକ କରୋନା ସଂକ୍ରମଣ ମାମଲା ସାମ୍‌ନାକୁ ଆସିଛି । କୋଭିଡ୍‌-୧୯ ସଂକ୍ରମଣର ପ୍ରାୟ ୩୦% ଓ ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରାୟ ୧୭% ମାମଲା ଆମେରିକାରେ ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ ୫୦ଟି ରାଜ୍ୟରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିବା ସହ ଲୋକଙ୍କୁ ଘରେ ରହିବାକୁ ଆଦେଶ ଦେଇଛନ୍ତି । ବିଶ୍ୱର ଆର୍ଥିକ ରାଜଧାନୀ କୁହାଯାଉଥିବା ନ୍ୟୁୟର୍କ ସହରରେ କେବଳ ଗୋଟିଏ ଦିଗରେ ୮୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ତେବେ ନ୍ୟୁୟର୍କ ଗଭର୍ଣ୍ଣର ଆଣ୍ଡ୍ର‌୍ୟୁ କୁମୋଙ୍କ କହିବା ମୁତାବକ, ସହରର ହସ୍ପିଟାଲଗୁଡିକରେ ଏବେ ନୂଆ ରୋଗୀଙ୍କ ସଂଖ୍ୟା କମିବା ଆରମ୍ଭ ହୋଇଛି । ଆମେରିକାରେ ବେରୋଜଗାରୀର ସଦ୍ୟତମ ତଥ୍ୟ ଦର୍ଶାଉଛି ଯେ, ପ୍ରାୟ ୨୦୦୦ ଅରବ ଡଲାରର ସହାୟତା ପ୍ୟାକେଜ୍ ମଧ୍ୟ ଏଠାରେ ସ୍ଥିତି ସୁଧାରିପାରିବ ନାହିଁ । କିନ୍ତୁ ଟ୍ରମ୍ପ ଦାବି କରିଛନ୍ତି ଯେ, ଆଗାମୀ ମାସଗୁଡିକରେ ଦେଶର ଅର୍ଥବ୍ୟବସ୍ଥା ପୁଣିଥରେ ଉନ୍ନତ ସ୍ଥିତିରେ ପହଂଚିଯିବ ।


Share It

Comments are closed.