ଜାଣନ୍ତୁ କ’ଣ ରହିଛି ରେଲୱେର ପୋଷ୍ଟ ଲକ୍‌ଡାଉନ୍ ପ୍ଲାନ୍‌


ନୂଆଦିଲ୍ଲୀ,୧୦ ଏପ୍ରିଲ ୨୦୨୦: କରେନା ଭାଇରସ୍ ମହାମାରୀ କାରଣରୁ ଦେଶରେ ପ୍ରଥମ ଥର ପାଇଁ ରେଳ ବିଭାଗର ସେବା ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି । ରାଜ୍ୟଗୁଡିକ ପକ୍ଷରୁ ଲକ୍‌ଡାଉନ୍ ଅବଧି ବଢାଇବା ପାଇଁ ଦାବି କରାଯିବା ପରେ ଏବେ ସରକାର ମଧ୍ୟ ଏହା ସପକ୍ଷରେ ବିଚାର କରୁଛନ୍ତି । ସେହିପରି ଭାରତୀୟ ରେଳ ବିଭାଗ ମଧ୍ୟ ଏକ ସମ୍ପୂର୍ଣ୍ଣ ଯୋଜନା ସହ ରେଳ ସେବା ଆରମ୍ଭ କରିବା ସପକ୍ଷରେ ରହିଛି । ଯେବେ ବି ଲକ୍‌ଡାଉନ୍ ଖୋଲିବ ସେତେବେଳେ ରେଳ ବିଭାଗ ଏକାଧିକ ନିୟମ ସହ ଯାତ୍ରୀମାନଙ୍କ ପାଇଁ ପରିଚାଳନା ଆରମ୍ଭ କରିବ । ରେଳ ବିଭାଗ କଡାକଡି ଭାବେ ଏହି ନିୟମଗୁଡିକ ପାଳନ କରିବ । ତେବେ ରେଳ ବିଭାଗ ପକ୍ଷରୁ ପୁନଃପରିଚାଳନାର କୌଣସି ତାରିଖ ଧାର୍ଯ୍ୟ କରାଯାଇନାହିଁ । କିନ୍ତୁ ଯେଉଁ ଦିନ ମଧ୍ୟ ଟ୍ରେନ୍ ଚଳାଚଳ ଆରମ୍ଭ ହେବ ସେଥିପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ରେଲ୍‌ୱେର ଅଧିକାରୀ ଦେଶର ରେଳ ନେଟ୍‌ୱର୍କକୁ ରେଡ୍‌, ୟେଲୋ ଓ ଗ୍ରୀନ୍ ଜୋନ୍‌ରେ ବିଭାଜିତ କରୁଛନ୍ତି । ରେଡ୍ ଜୋନ୍‌ରେ ବର୍ତମାନ ପାଇଁ କୌଣସି ଟ୍ରେନ୍ ଚଳାଚଳ ନକରିବାକୁ ରେଲ୍‌ୱେ ଯୋଜନା ରଖିଛି । ଏହାଛଡା ୟେଲୋ ଜୋନ୍‌ରେ ସୀମିତ ସଂଖ୍ୟାରେ ପରିଚାଳନା ଆରମ୍ଭ ହେବ ଓ ଗ୍ରୀନ୍ ଜୋନ୍‌ରେ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରାଯିବ । ଏହାଛଡା ରେଲ୍‌ୱେ ପକ୍ଷରୁ ବର୍ତମାନ ପାଇଁ ଦେଶରେ କେବଳ ସ୍ୱତନ୍ତ୍ର ଟ୍ରେନ୍‌ର ପରିଚାଳନା କରାଯିବ । ଏହି ଟ୍ରେନ୍‌ଗୁଡିକରେ କେବଳ ରିଜର୍ଭେସନ ଜରିଆରେ ହିଁ ସିଟ୍ ବୁକିଙ୍ଗ୍ କରାଯିବ ଓ ଜେନେରାଲ କ୍ଲାସ୍ କୋଚ୍‌ରେ କୌଣସି ଯାତ୍ରୀଙ୍କୁ ଅନୁମତି ମିଳିବ ନାହିଁ । ଏଥିସହିତ ଟ୍ରେନ୍‌ର କୋଚ୍‌ରେ ମିଡିଲ୍ ବର୍ଥରେ ବୁକିଙ୍ଗ୍ କରାଯିବ ନାହିଁ ଯାହାଫଳରେ ସାମାଜିକ ଦୂରତା ବଜାୟ ରଖାଯାଇପାରିବ । ଟ୍ରେନ୍ ବଗିର ସମସ୍ତ ୪ଟି ଗେଟ୍ ବା ଦ୍ୱାର ବନ୍ଦ ରହିବ ଯାହାଫଳରେ ଯାତ୍ରୀମାନଙ୍କ ଅନୁପ୍ରବେଶ ହୋଇପାରିବ ନାହିଁ । ଟ୍ରେନ୍‌ର କୋଚ୍‌ର ସାଇଡ୍ ବର୍ଥ ଖାଲି ରହିବ । ଏହାଛଡା ଗୋଟିଏ କ୍ୟାବିନ୍‌ରେ କେବଳ ଦୁଇ ଜଣ ଯାତ୍ରୀ ଯାତ୍ରା କରିପାରିବେ । ଷ୍ଟେସନ ଓ ଟ୍ରେନ୍‌ରେ ଯାତ୍ରୀଙ୍କ ପାଇଁ ମାସ୍କ ଲଗାଇବା ବାଧ୍ୟତାମୂଳକ ହେବ । କୋଚ୍ ଭିତରେ ବାହାର ଭେଣ୍ଡରମାନଙ୍କ ପ୍ରବେଶ ହେବ ନାହିଁ । ଏୟାରପୋର୍ଟ ଭଳି ରେଳ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କୁ ୪ ଘଂଟା ପୂର୍ବରୁ ଷ୍ଟେସନ ଆସିବାକୁ ପଡିବ । ଯାହାଫଳରେ ଷ୍ଟେସନରେ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଙ୍ଗ୍ କରାଯାଇପାରିବ । ଏହି ସମୟରେ ପ୍ଲାଟ୍‌ଫର୍ମ ଟିକେଟ୍ ବିକ୍ରି କରାଯିବ ନାହିଁ । ରେଳ ବିଭାଗ ଅନୁସାରେ, ରେଲ୍‌ୱେ କେବଳ ନନ୍ ଏସି ଟ୍ରେନ୍ ଚଳାଇବ । ଯାତ୍ରାର ୧୨ ଘଂଟା ପୂର୍ବରୁ ଯାତ୍ରୀଙ୍କୁ ନିଜ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ରେଲ୍‌ୱେକୁ ଦେବାକୁ ହେବ । ରେଲ୍‌ୱେ ବରିଷ୍ଠ ନାଗରିକମାନଙ୍କୁ ଯାତ୍ରା ଅନୁମତି ଦେବ ନାହିଁ ।


Share It

Comments are closed.