ଦେଶରେ ଦ୍ରୁତ ଗତିରେ ନିଜର କାୟା ବିସ୍ତାର କରୁଛି କରୋନା, ଗତ ୨୪ ଘଣ୍ଟାରେ ୧୦୩୫ ସଂକ୍ରମିତ ଚିହ୍ନଟ


ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢି ବଢି ଚାଲିଛି । ଗତକାଲି ଗୋଟିଏ ଦିନରେ ୧୦୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ସବୁଠାରୁ ଅଧିକ ୧୮୩ ମାମଲା ସାମ୍ନାକୁ ଆସିଛି । ସେହିପରି ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁରେ ମଧ୍ୟ ବଡ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଭିତରେ ଶେଷ ୨୪ ଘଂଟାରେ ୨୩୯ ଜଣଙ୍କ ଜୀବନ ଯାଇଥିବା ରିପୋର୍ଟ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟାରେ ଦେଶରେ ୧୦୩୫ ନୂଆ ମାମଲା ଆସିଛି ଏବଂ ୪୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ୧୦୩୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୭୪୪୭ କୁ ବୃଦ୍ଧି ହୋଇଛି ।

ସବୁଠାରୁ ଅଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ ୧୫୭୪ ରହିଛି । ଏବଂ ମହାରାଷ୍ଟ୍ରରେ କରୋନା ସଂକ୍ରମଣରେ ସର୍ବାଧିକ ୧୧୦ ଜଣ ପ୍ରାଣ ହରାଇଛନ୍ତି । ସେହିପରି ତାମିଲନାଡୁରେ ୯୧୧ ଆକ୍ରାନ୍ତ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୧୮୩ ନୂଆ ମାମଲା ସହିତ ଆକ୍ରାନ୍ତ ସଂଖ୍ୟା ୯୦୩ କୁ ବୃଦ୍ଧି ହୋଇଛି । ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ ରହିଛି । ତେଲେଙ୍ଗାନାରେ ୪୭୩, ଉତ୍ତରପ୍ରଦେଶରେ ୪୩୧, କେରଳରେ ୩୬୪, ଆନ୍ଧ୍ରପ୍ରଦେଶରେ ୩୬୩, ମଧ୍ୟପ୍ରଦେଶରେ ୨୫୯, ରାଜସ୍ଥାନରେ ୪୬୩ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଏବେ ସୁଦ୍ଧା ୬୪୩ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


Share It

Comments are closed.