କରୋନାକୁ ନେଇ ଆସିଲା ଭଲ ଖବର, ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଆରୋଗ୍ୟଙ୍କ ସଂଖ୍ୟା


ସାରା ଦେଶରେ କରୋନା ଭାଇରସ ଜନିତ ସଂକ୍ରମିତଙ୍କ ସଂଖ୍ୟା ୧୩୩୮୭ରେ ପହଞ୍ଚିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସର ସଂକ୍ରମଣ କାରଣରୁ ୪୩୭ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ଦେଶରେ ୧୦୦୦ ପଜିଟିଭ କେସ ସାମନାକୁ ଆସିଥିବାବେଳେ ୨୩ ଜଣଙ୍କ ମୃତ୍ୟୁ ଘଟିଛି । କିନ୍ତୁ ଆଶ୍ୱସନାର କଥା ଏହା ଯେ, କରୋନା ବିରୋଧୀ ଲଢେଇରେ ଭାରତ ଖୁବ ଦୃଢତାର ସହ ଲଢେଇ କରୁଥିବାବେଳେ ଗତ ୪ ଦିନରେ ଦେଶରେ ଖୁବ ଦ୍ରୁତ ଗତିରେ କରୋନା ସଂକ୍ରମିତ ଆରୋଗ୍ୟ ହେଉଥିବାର ତଥ୍ୟ ବର୍ତ୍ତମାନ ସାମନାକୁ ଆସିଛି । ଗତ ଶୁକ୍ରବାର ଦିନ ୧୩.୬ ପ୍ରତିଶତ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ସେହିଭଳି ଗୁରୁବାର ଦିନ ୧୨.୨ ପ୍ରତିଶତ, ବୁଧବାର ଦିନ ୧୧.୪୧ ପ୍ରତିଶତ ଏବଂ ମଙ୍ଗଳବାର ଦିନ ୯.୯୯ ପ୍ରତିଶତ ସୁସ୍ଥ ହୋଇଥିବାର ସୂଚନା ବର୍ତ୍ତମାନ ସାମନାକୁ ଆସିଛି । ଯଦି ଏହିଭଳି ଭାବରେ କରୋନା ସଂକ୍ରମିତ ସୁସ୍ଥ ହେବାରେ ଲାଗନ୍ତି ତେବେ ନିଶ୍ଚିତ ଏହା ଏକ ଶୁଭ ସଙ୍କେତ ଅଟେ । ଗତ ୨୪ ଘଣ୍ଟା ମଧ୍ୟରେ ମହାମାରୀ କରୋନା ଭାଇରସ ବିରୋଧରେ ଲଢେଇ କରି ୨୬୦ ଜଣ ସୁସ୍ଥ ହୋଇଥିବାବେଳେ ସେମାନଙ୍କୁ ବର୍ତ୍ତମାନ ହସ୍ପିଟାଲରୁ ଛୁଟି ମିଳିଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ମୁତାବକ, ଗତ ଶୁକ୍ରବାର ଦିନ ୨୬୦ ଜଣ ସୁସ୍ଥ ହୋଇଥିବାବେଳେ ଗୁରୁବାର ୧୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଶୁକ୍ରବାର ଦିନ ଜାରି ସୂଚନା ଅନୁଯାୟୀ ବର୍ତ୍ତମାନ ସୁଧା ଦେଶରେ ୧୭୪୮ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।


Share It

Comments are closed.