ଆମେରିକାର ପରମାଣୁ ହତିଆର ଆଡ୍ଡାରେ ପହଂଚିଲା କରୋନା ଭାଇରସ୍‌


କରୋନା ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଥିବା ଶକ୍ତିଶାଳୀ ଦେଶ ଆମେରିକାରେ ବର୍ତମାନ ସୁଦ୍ଧା ୧୯୦୦୦ରୁ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଲାଣି । ଏଠାରେ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୫ ଲକ୍ଷ ଟପିଛି । କରୋନା ଭାଇରସ୍‌ର ଏହି ଆତଙ୍କ ଯୋଗୁ ବିଶ୍ୱ ଉପରେ ଆଉ ଏକ ବଢ ବିପଦର ଆଶଙ୍କା ସୃଷ୍ଟି ହୋଇଛି । ଆମେରିକୀୟ ପତ୍ରିକା ନ୍ୟୁଜ୍ ୱିକ୍‌ର ସୂଚନା ମୁତାବକ, ଆମେରିକାର ୪୧ଟି ରାଜ୍ୟରେ ଥିବା ୧୫୦ ସୈନ୍ୟ ଆଡ୍ଡା ପର୍ଯ୍ୟନ୍ତ ଏହି ମାରାତ୍ମକ ଭାଇରସ୍‌ର ସଂକ୍ରମଣ ପହଂଚିସାରିଛି । କରୋନା ଭାଇରସ୍ ଏବେ ଆମେରିକାର ଅଧିକାଂଶ ପରମାଣୁ ହତିଆର ଠିକଣାରେ ପହଂଚିଛି । କରୋନା ସଂକ୍ରମଣ ପରମାଣୁ ହତିଆର ଆଡ୍ଡାରେ ପହଂଚିବା ବିଶ୍ୱ ପାଇଁ ବିପଦ୍‌ଜନକ ଲକ୍ଷଣ ହୋଇପାରେ । କାରଣ ଏହାଦ୍ୱାରା ପରମାଣୁ ହତିଆର ସୁରକ୍ଷା ପ୍ରଭାବିତ ହୋଇପାରେ ।

ବିଶ୍ୱର ଆମେରିକୀୟ ନୌସେନା ଶକ୍ତିର ପ୍ରତିକ କୁହାଯାଉଥିବା ୪ଟି ପରମାଣୁ ଶକ୍ତିଚାଳିତ ବିମାନବାହକ ଜାହଜରେ ମଧ୍ୟ କରୋନା ପହଂଚିସାରିଛି । ନିକଟରେ ଆମେରିକୀୟ ବିମାନବାହନ ୟୁଏସ୍‌ଏସ୍ ଥିୟୋଡୋର୍ ରୁଜ୍‌ଭେଲ୍ଟର ୪ ହଜାର ନୌସୈନିକଙ୍କୁ ଗୁଆମ୍ ନିଆଯାଇ ସେଠାରେ ସେମାନଙ୍କର ପରୀକ୍ଷା କରାଯାଇଥିଲା । ଏଠାରେ ବହୁସଂଖ୍ୟକ ନୌସୈନିକ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ଆମେରିକୀୟ ରକ୍ଷା ମନ୍ତ୍ରଣାଳୟ ପେଂଟାଗନ୍‌ର ସୂଚନା ଅନୁସାରେ, ଏହାର ପ୍ରାୟ ୩୦୦୦ ସୈନିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏକ ସପ୍ତାହରେ ଏହି ସଂଖ୍ୟା ଦୁଇ ଗୁଣରେ ପହଂଚିଛି । ସ୍ଥିତି ଏଭଳି ହୋଇଛି ଯେ, ଆମେରିକାର ଭିତରେ ଓ ବାହାରେ ଥିବା ଏହାର ସୈନ୍ୟ ଠିକଣାଗୁଡିକରେ କରୋନା ଭାଇରସ୍‌ର ସଂକ୍ରମଣ ବଢିଚାଲିଛି । ଏହି କାରଣରୁ ଆମେରିକା ସେନାର ସମସ୍ତ ଅଣ ଜରୁରୀ ଗତିବିଧିଗୁଡିକୁ ବନ୍ଦ କରାଯାଇଛି । ଏହାଛଡା ସୈନିକଙ୍କ ପ୍ରଶିକ୍ଷଣ ଓ ସେମାନଙ୍କର ଭର୍ତିକୁ ମଧ୍ୟ ବନ୍ଦ କରାଯାଇଛି । କରୋନା ଭାଇରସ୍ ଯୋଗୁ ଆମେରିକାର ନୌସେନା ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଏହାର ସେନା ଓ ବାୟୁସେନା ମଧ୍ୟ ଏଥିରେ ବ୍ୟାପକ ରୂପେ ପ୍ରଭାବିତ ହୋଇଛି ।


Share It

Comments are closed.