ପରଲୋକରେ ଆମେରିକାର ପୂର୍ବତ୍ତନ ବୈଦେଶିକ ମନ୍ତ୍ରୀ କଲିନ ପୱେଲ

Share It

ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଜଣେ ଶୀର୍ଷ ସାମରିକ ଅଧିକାରୀ ତଥା ଆମେରିକାର ତତ୍କାଳୀନ ଏକାଧିକ ରିପବ୍ଲିକାନ ରାଷ୍ଟ୍ରପତିଙ୍କର ପସନ୍ଦଯୋଗ୍ୟ ବ୍ୟକ୍ତି କଲିନ ପୱେଲଙ୍କର ପରଲୋକ ଘଟିଛି । ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । କୋଭିଡ-୧୯ ଜନିତ ଜଟିଳ ଅବସ୍ଥା କାରଣରୁ ସୋମବାର ତାଙ୍କର ପରଲୋକ ଘଟିଛି । ସେ କୋଭିଡ ପ୍ରତିଷେଧକ ଟିକା ନେଇଥିଲେ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାଯାଇଛି ।
ଜଣେ ଜାମାଇକ ପ୍ରବାସୀଙ୍କ ପୁତ୍ର କଲିନ ପୱେଲ ପ୍ରବାସୀ ପରିବାରଗୁଡିକ ପାଇଁ ଆମେରିକାରେ ଥିବା ସୁବିଧା ସୁଯୋଗକୁ ଉନ୍ମୁକ୍ତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ । ପ୍ରଥମେ ଆମେରିକା ସୈନ୍ୟ ବିଭାଗରେ ନିଜର କ୍ୟାରିୟର ଆରମ୍ଭ କରି ସେ ସର୍ବୋଚ୍ଚ ପଦବୀ ଚେୟାରମ୍ୟାନ ଅଫ ଦି ଜଏଣ୍ଟ ଚିଫ୍ସ ଅଫ ଷ୍ଟାଫ ଭାବରେ ନିଯୁକ୍ତ ହୋଇଥିଲେ । ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ସେ ବହୁବାର ଭାରତ ଗସ୍ତ କରିଥିଲେ ଏବଂ ସେ ଦେଶର ବୈଦେଶିକ ମନ୍ତ୍ରୀ ହେବାପରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କୁ ମଧ୍ୟ ସେ ବହୁବାର ଭେଟିଥିଲେ । ତାଙ୍କୁ ଜର୍ଜ ଡବ୍ଲୁ ବୁଶ୍‍ ଆମେରିକାର ବୈଦେଶିକ ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ । ସେ ରିଚାର୍ଡ ନିକ୍ସନ, ରୋନାଲ୍ଡ ରେଗାନ, ଜର୍ଜ ଏଚ ଡବ୍ଲୁ ବୁଶ୍‍ ଆଦି ଏକାଧିକ ଆମେରିକା ରାଷ୍ଟ୍ରପତିଙ୍କ ନିକଟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଥିଲେ ।


Share It

Comments are closed.