ମଧୁବାବୁଙ୍କ ଜୟନ୍ତୀରେ ସରକାରଙ୍କୁ ବିଜେଡିର ପ୍ରଶ୍ନ
ଭୁବନେଶ୍ବର : ସରକାରକୁ ଆସିବାର ଶହେ ଦିନ ଭିତରେ ରାଜ୍ୟରେ ଆଖିଦୃଶିଆ କାର୍ଯ୍ୟ କରି ଦେଖାଇବୁ ବୋଲି କହିଥିବା ବିଜେପି ସରକାରକୁ ତିନି ଶହ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇ ପାରିନାହିଁ ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି। ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୧୭୭ତମ ଜୟନ୍ତୀ ଅବସରରେ ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଓଡ଼ିଆ ଅସ୍ମିତା ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରର ବିଫଳତାକୁ ନେଇ ପ୍ରଶ୍ନ କରିଥିଲେ ା
ଦେବୀ ପ୍ରସାଦ ମିଶ୍ର କହିଥିଲେ, ଆଜିଭଳି ପବିତ୍ର ଦିବସରେ, ଗୋଟିଏ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବେ ଆମେ ରାଜ୍ୟବାସୀଙ୍କ ତରଫରୁ ପ୍ରଶ୍ନ କରୁଛୁ ଯେ, ସରକାରକୁ ଆସିବାର ୩୦୦ ଦିନର ଉପଲବ୍ଧି କ’ଣ ? ସ୍ବତନ୍ତ୍ର ଓଡିଶା ଗଠନର ଶହେ ବର୍ଷ ପୂର୍ତ୍ତି ଅର୍ଥାତ ୨୦୩୬ ବେଳକୁ ଓଡିଶାକୁ ଏକ ବିକଶିତ ରା୍ଯଯ ଭାବେ ଗଢି ତୋଳିବା ପାଇଁ, ଆଗାମୀ ୪ ବର୍ଷର ରୋଡମ୍ୟାପ୍ ପ୍ରକାଶ କରିବେ କି ? ଓଡିଶା ଲଗାତର ଭାବେ କେନ୍ଦ୍ର ଅବହେଳାର ଶିକାର ହୋଇ ଆସୁଥିବା ବେଳେ, ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ବା ଫୋକସ ଷ୍ଟେଟ୍ର ମାନ୍ୟତା ପାଇଁ ବିଜୁ ଜନତା ଦଳ ଦାବି କରିଆସୁଛି।
୨୦୧୩ ମସିହାରେ ମଧୁବାବୁଙ୍କ ପବିତ୍ର ଜନ୍ମ ତିଥିରେ ଆରମ୍ଭ ହୋଇଥିଲା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନର ଦାବି। ପରବର୍ତ୍ତୀ ସମୟରେ ନବୀନ ବାବୁଙ୍କ ନେତୃତ୍ୱରେ ଦିଲ୍ଲୀର ରାମଲୀଳା ମୈଦାନରେ ଏକ ବିଶାଳ ସମାବେଶ ଆୟୋଜିତ ହେବା ସହିତ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ବିଜେପି ୨୦୧୪ ମସିହା ନିର୍ବାଚନ ଇସ୍ତାହାରରେ, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ କରିବ? ଡ଼ ଅରୁଣ ସାହୁ କହିଥିଲେ, ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ ସରକାରକୁ ଆସିଥିବା ବିଜେପି ଠାରୁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଅନୁଦାନ ପାଇଁ ଆଶା କରାଯାଉଥିଲା।
ମାତ୍ର କେନ୍ଦ୍ର ସରକାର ଓଡିଶାକୁ ମିଳୁଥିବା ଅନୁଦାନରେ ଟଙ୍କାଟିଏ ମଧ୍ୟ ବୃଦ୍ଧି କରିନାହାନ୍ତି। ଦୁଃଖ ଓ ପରିତାପର ବିଷୟ ଯେ, ରାଜ୍ୟ ସରକାର ଦାୟିତ୍ୱରେ ଥିବା ବିଜେପିର ନେତୃତ୍ୱ କେନ୍ଦ୍ର ଆଗରେ ଓଡିଶାକୁ ଅନୁଦାନ ବୃଦ୍ଧି ପାଇଁ ମୁହଁ ଖୋଲିବାକୁ ସାହସ ଜୁଟାଇ ପାରିନାହାନ୍ତି। ବିଗତ ୨ ଦଶନ୍ଧି ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏକ ଅଭାବୀ ରାଜ୍ୟରୁ ପ୍ରଭାବୀ ରାଜ୍ୟର ପରିଣତ ହୋଇଥିଲା ା ଅନ୍ୟ ରାଜ୍ୟକୁ ସ୍ବତନ୍ତ୍ର ଅନୁଦାନ ମିଳୁଥିଲା ବେଳେ ଓଡ଼ିଶା ପାଇଁ କେନ୍ଦ୍ରୀୟ ଅନୁଦାନ କେବେ ବୃଦ୍ଧି ହେବ ? ପୂର୍ବରୁ ନବୀନ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ମଧ୍ୟରୁ ଅନେକ ଯୋଜନାକୁ ଅନ୍ୟ ରାଜ୍ୟମାନେ ଲାଗୁ କରିଛନ୍ତି। କିନ୍ତୁ ନିକଟରେ ପୁରୀଠାରେ ବିଜେପିର ଏକ କାର୍ଯ୍ୟକ୍ରମରେ ରାଜ୍ୟରେ ୟୁପି ମଡେଲ ଲାଗୁ କରାଯିବ ବୋଲି ବିଜେପି ନେତୃତ୍ୱ କହିଥିଲେ। ନବୀନ ସରକାର ସମୟରେ ଶିଶୁ ଓ ମାତୃ ମୃତ୍ଯଯହାରକୁ କମାଇବା ପାଇଁ ମମତା ଯୋଜନା ଲାଗୁ କରାଯାଇଥିଲା ଓ ଏହାର ସଫଳତା ପରେ ସମଗ୍ର ଦେଶରେ କେନ୍ଦ୍ର ସରକାର ଏହାକୁ ଲାଗୁ କରିଥିଲେ।
ଦେଶରେ ଗ୍ରାମାଞ୍ଚଳରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯପ୍ରଥମେ ନବୀନ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ସମଗ୍ର ଦେଶରେ ଲାଗୁ ହୋଇଥିଲା। ନବୀନଙ୍କ ସମୟରେ ସାରା ଦେଶରେ ଓଡିଶା ପଥ ପ୍ରଦର୍ଶକ ଥିଲା ବେଳେ ଆଜି ଓଡ଼ିଆ ଅସ୍ମିତା ନାରା ଦେଇ ଆସିଥିବା ବିଜେପି ସରକାରଙ୍କୁ ୟୁପି ମଡେଲର ଆବଶ୍ୟକତା ପଡୁଛି। ଓଡ଼ିଆ ଅସ୍ମିତା ଏବେ କେଉଁଠି? ବିଜେଡିର ଉଭୟ ବରିଷ୍ଠ ନେତା ଏପରି ପ୍ରଶ୍ନ ରଖିଛନ୍ତି।
Comments are closed.