ରିହାତି ମୂଲ୍ୟରେ ଯକୃତ ପ୍ରତିରୋପଣ ପାଇଁ ଆଷ୍ଟର୍ ସିଏମ୍‌ଆଇ ହସ୍ପିଟାଲ, ବେଙ୍ଗାଲୁରୁ ପକ୍ଷରୁ ଓଡିଶା ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ

Share It

ଭୁବନେଶ୍ୱର: ଆଷ୍ଟର୍ ସିଏମ୍‌ଆଇ ହସ୍ପିଟାଲ, ବେଙ୍ଗାଲୁରୁ ପକ୍ଷରୁ ରାଜ୍ୟରେ ପେଡିଆଟ୍ରିକ୍ ଲିଭର୍ ଟ୍ରାନ୍ସପ୍ଲାଂଟ୍‌ର କାର୍ଯ୍ୟକାରିତା ପାଇଁ ଓଡିଶା ସରକାରଙ୍କ ସହ ଏକ ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି । ଓଡିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ; ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୁଖ୍ୟ ସଚିବ ଶ୍ରୀ ନିକୁଞ୍ଜ ବିହାରି ଧଳ ଆଇଏସ; ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମ୍‌ଇଟି), ଓଡିଶାର ନିର୍ଦ୍ଦେଶକ ଡଃ ରାମ ରମଣ ମହାନ୍ତି, ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମ୍‌ଇଟି), ଓଡିଶାର ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର (ଡଃ) ଉମାକାନ୍ତ ଶତ୍‌ପଥୀ ଏବଂ ଆଷ୍ଟର୍ ସିଏମ୍‌ଆଇ ହସ୍ପିଟାଲ, ବେଙ୍ଗାଲୁରୁର ସିଇଓ ଶ୍ରୀ ରମେଶ କୁମାରଏସଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷର କରାଯାଇଛି । ଏହି ଚୁକ୍ତି ଅଧିନରେ ଆଷ୍ଟର୍ ସିଏମ୍‌ଆଇ ହସ୍ପିଟାଲ କଟକର ଏସ୍‌ସିବି ମେଡିକାଲ କଲେଜ ହସ୍ପିଟାଲରେ ପେଡିଆଟ୍ରିକ୍ ଲିଭର୍ ଟ୍ରାନ୍ସପ୍ଲାଂଟ୍ ୟୁନିଟ୍ ସ୍ଥାପନ କରିବ ।
ଏହି ଏମ୍‌ଓୟୁ ମାଧ୍ୟମରେ, ଆଷ୍ଟର୍ ସିଏମ୍‌ଆଇ ହସ୍ପିଟାଲ ସାଧାରଣ ଲୋକ, ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ଏସମ୍ପର୍କରେ ଶିକ୍ଷିତ କରିବ, କ୍ଷମତା ନିର୍ମାଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡିକୁ କାର୍ଯ୍ୟକାରୀ କରିବ, ଅର୍ଗାନ୍ ସେୟାରିଂ ରେଜିଷ୍ଟିଗୁଡିକୁ ସ୍ଥାପନ କରିବ ଏବଂ ସର୍ବୋତମ ଅଭ୍ୟାସଗୁଡିକର କାର୍ଯ୍ୟକାରିତାରେ ସାହାଯ୍ୟ କରିବ । ଆଷ୍ଟର୍ ସିଏମ୍‌ଆଇ ହସ୍ପିଟାଲର ଡାକ୍ତରମାନେ କଟକର ଏସ୍‌ସିବି ମେଡିକାଲ କଲେଜ ହସ୍ପିଟାଲରେ ପିଲାମାନଙ୍କର ସ୍କ୍ରିନିଙ୍ଗ୍ କରିବେ ଏବଂ ଲିଭର୍ ଟ୍ରାନ୍ସପ୍ଲାଂଟ୍ ଆବଶ୍ୟକ କରୁଥିବା ପିଲାମାନଙ୍କୁ ଟ୍ରାନ୍ସପ୍ଲାଂଟ୍ ପାଇଁ ଆଷ୍ଟର୍ ସିଏମ୍‌ଆଇ ହସ୍ପିଟାଲକୁ ରେଫର୍ କରାଯିବ । ଓଡିଶା ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ଏବଂ ବିପିଏଲ୍ କାର୍ଡ ଥିବା ରୋଗୀମାନେ ଏହି ଯୋଜନା ଅଧିନରେ ମାଗଣା ଟ୍ରାନ୍ସପ୍ଲାଂଟ୍ ପାଇଁ ଯୋଗ୍ୟ ବିବେଚିତ ହେବେ ।
ଏହି ଏମ୍‌ଓୟୁ ଉପରେ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମ୍‌ଇଟି), ଓଡିଶାର ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର (ଡଃ) ଉମାକାନ୍ତ ଶତ୍‌ପଥୀ କହିଛନ୍ତି, “ ବିଭିନ୍ନ ବିଶେଷଜ୍ଞ ଓ ଏଜେନ୍ସିଗୁଡିକ ସହ କ୍ରମାଗତ ଆଲୋଚନା ପରେ ଏସ୍‌ସିବି ଏମ୍‌ସିଏଚ୍ କଟକରେ ଲିଭର୍ ଟ୍ରାନ୍ସପ୍ଲାଂଟ୍ ୟୁନିଟ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଏହି ବ୍ୟବସ୍ଥାକୁ ଚୂଡାନ୍ତ କରାଯାଇଛି । ଏହି ଏମ୍‌ଓୟୁ ପେଡିଆଟ୍ରିକ୍ ଲିଭର୍ ଟ୍ରାନ୍ସପ୍ଲାଂଟ୍ ପାଇଁ ଉଦ୍ଦିଷ୍ଟ ରହିବ । ରାଜ୍ୟ ସରକାର ବୟସ୍କ ବ୍ୟକ୍ତିମାନଙ୍କ ଲିଭର ଟ୍ରାନ୍ସପ୍ଲାଂଟ୍‌କୁ ସାମିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଯାହା ଖୁବ୍‌ଶୀଘ୍ର ହେବ । ଏହା ଲିଭର୍ ଟ୍ରାନ୍ସପ୍ଲାଂଟ୍ ଆବଶ୍ୟକ କରୁଥିବା ଓଡିଶାର ଲୋକମାନଙ୍କୁ ସାହାଯ୍ୟ କରିବ ।”
ଏମ୍‌ଓୟୁ ସମ୍ପର୍କରେ ଅଧିକ ବର୍ଣ୍ଣନା କରି ଆଷ୍ଟର୍ ସିଏମ୍‌ଆଇ ହସ୍ପିଟାଲର ସିଇଓ ରମେଶ କୁମାରଏସ କହିଛନ୍ତି, “ ଗତ ଦୁଇ ବର୍ଷ ହେବ ଆମେ ଆଷ୍ଟର୍ ହସ୍ପିଟାଲ ସହିତ ଏକ ଏମ୍‌ଓୟୁ ଆକାରରେ ପ୍ରତ୍ୟକ୍ଷ ରୂପେ କ୍ଲିନିକାଲ ମେଡିକାଲ ସେବା ପ୍ରଦାନ କରିବାର ସମ୍ଭାବନା ଉପରେ ଓଡିଶା ସରକାରଙ୍କ ସହ ଆଲୋଚନା କରୁଥିଲୁ । ଏହି ଏମ୍‌ଓୟୁ ଅନୁଯାୟୀ ଏକ ୟୁନିଟ୍ ସ୍ଥାପନ କରାଯିବ ଏବଂ ଲିଭର୍ ଟ୍ରାନ୍ସପ୍ଲାଂଟ୍ ପାଇଁ ଆବଶ୍ୟକ ହେଉଥିବା ପ୍ରତ୍ୟେକ ଦିଗ, ଯତ୍ନ ଓ ସେବାକୁ ବିକଶିତ କରାଯିବ । ଆମେ ରୋଗୀମାନଙ୍କର ପ୍ରି ଓ ପୋଷ୍ଟ-ଟ୍ରାନ୍ସପ୍ଲାଂଟ୍ କେୟାର ପାଇଁ ଏସ୍‌ସିବି କଲେଜର ଡାକ୍ତର ଓ ନର୍ସମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବୁ ।”
ଆଷ୍ଟର୍ ସିଏମ୍‌ଆଇ ହସ୍ପିଟାଲର ହେପାଟୋବିଲିଆରୀ ଓ ଟ୍ରାନ୍ସପ୍ଲାଂଟ୍ ସର୍ଜରୀ- ଲିଡ୍ କନ୍‌ସଲ୍‌ଟାଂଟ୍ ଡଃ ସୋନଲ ଆସ୍ଥାନା କହିଛନ୍ତି, “ ଭାରତରେ ପ୍ରତିବର୍ଷ ୨୦୦୦ରୁ ଅଧିକ ଶିଶୁ ଜୀବନ ରକ୍ଷାକାରୀ ଲିଭର୍ ଟ୍ରାନ୍ସପ୍ଲାଂଟ୍‌ର ଆବଶ୍ୟକ କରୁଛନ୍ତି । ଦୁର୍ଭାଗ୍ୟବଶତଃ ଏହା ମଧ୍ୟରୁ କେବଳ ୧୦% ପିଲାଙ୍କର ଟ୍ରାନ୍ସପ୍ଲାଂଟ୍ କରାଯାଉଛି । ଏହି ଏମ୍‌ଓୟୁ ସହିତ ଆମେ ପିଲାମାନଙ୍କୁ ଏକ ସୁଲଭ ମୂଲ୍ୟରେ ଲିଭର୍ ଟ୍ରାନ୍ସପ୍ଲାଂଟ୍ କରାଇବାରେ ସାହାଯ୍ୟ କରିବୁ, ଯାହାକି ଟ୍ରାନ୍ସପ୍ଲାଂଟ୍‌ର ମୂଳ ଖର୍ଚ୍ଚର ପ୍ରାୟ ୨୦% ହେବ । ଏହି ଏମ୍‌ଓୟୁ ସହ ଆମେ ଟ୍ରାନ୍ସପ୍ଲାଂଟ୍ ଆବଶ୍ୟକ କରୁଥିବା ପିଲାମାନଙ୍କୁ ଚିହ୍ନଟ କରିବାକୁ ଏବଂ ସେମାନଙ୍କୁ ଜୀବନ ରକ୍ଷାକାରୀ ଟ୍ରାନ୍ସପ୍ଲାଂଟ୍ ପ୍ରଦାନ କରିବାକୁ ସକ୍ଷମ ହେବୁ ।”

 


Share It

Comments are closed.