ଏଲନ ମସ୍କ ନେଉଛନ୍ତି ମାତ୍ରାଧିକ ଡ୍ରଗସ, ସ୍ଵାସ୍ଥ୍ୟ ଶୋଚନୀୟ
ନ୍ୟୁୟର୍କ ଟାଇମ୍ସର ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଅନ୍ୟତମ ଘନିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିବା ବେଳେ ଏଲନ୍ ମସ୍କ ବ୍ୟାପକ ନିଶା ସେବନରେ ନିୟୋଜିତ ଥିଲେ, ଏତେ ବାରମ୍ବାର କେଟାମିନ୍ ସେବନ କରିବା ଦ୍ୱାରା ମୂତ୍ରାଶୟ ଜନିତ ବା ବ୍ଲାଡରରେ ସମସ୍ୟା ଦେଖାଦେଇଥିଲା ଏବଂ ଦୈନିକ ପାଖାପାଖି ୨୦ଟି ବଟିକା ଯୋଗାଣ ହେଉଥିଲା ।
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ରାଜନୈତିକ ଖ୍ୟାତି ଅର୍ଜନ କରିବା ସମୟରେ ନିୟମିତ ଭାବେ କେଟାମିନ୍, ଏକ୍ସଟେସି ଓ ସାଇକେଡେଲିକ୍ ଛତୁ ଖାଉଥିଲେ ବୋଲି ତାଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ଅଜ୍ଞାତ ସୂତ୍ରରୁ ପ୍ରକାଶ। ଟ୍ରମ୍ପଙ୍କ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଅଭିଯାନକୁ ୨୭୫ ମିଲିୟନ ଡଲାର ଦାନ କରିବା ପରେ ତାଙ୍କର ନିଶା ଦ୍ରବ୍ୟ ବ୍ୟବହାର ତୀବ୍ର ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ “ସରକାରୀ ଦକ୍ଷତା ବିଭାଗ” ବା ଡୋଜର ନେତୃତ୍ୱ ନେଉଥିବା ତାଙ୍କର ଭୂମିକା ମାଧ୍ୟମରେ ସେ ଗୁରୁତ୍ୱପୂର୍ଣ୍ଣ କ୍ଷମତା ହାସଲ କରିଥିଲେ ।
ଏକ ରାଜନୈତିକ ରାଲିରେ କ୍ୟାବିନେଟ୍ ସଦସ୍ୟଙ୍କୁ ଅପମାନିତ କରିବା ଏବଂ ନାଜି ଭଳି ସଲାମ ଦେବା ଭଳି ଅନିୟମିତ ଆଚରଣ ପ୍ରଦର୍ଶନ କରିବାର କିଛି ମାସ ପରେ ମସ୍କ ବୁଧବାର ସନ୍ଧ୍ୟାରେ ସରକାରୀ ଚାକିରିରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି।
ଡ୍ରଗ୍ ଏନଫୋର୍ସମେଣ୍ଟ ଆଡମିନିଷ୍ଟ୍ରେସନ (ଡିଇଏ) ଦ୍ୱାରା ଏକ୍ସଟେସିକୁ ଏକ ଅନୁସୂଚୀ ୧ ନିୟନ୍ତ୍ରିତ ପଦାର୍ଥ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି ଯାହାର କୌଣସି ସ୍ୱୀକୃତିପ୍ରାପ୍ତ ଡାକ୍ତରୀ ବ୍ୟବହାର ନାହିଁ, ଯାହା ଫେଡେରାଲ କର୍ମଚାରୀଙ୍କ ପାଇଁ ସମ୍ପୂର୍ଣ୍ଣ ନିଷିଦ୍ଧ ଅଟେ – ଯଦିଓ ମସ୍କଙ୍କୁ “ସ୍ୱତନ୍ତ୍ର ସରକାରୀ କର୍ମଚାରୀ” ଭାବରେ ଶ୍ରେଣୀଭୁକ୍ତ କରାଯାଇଛି ଏବଂ ନିୟମିତ କର୍ମଚାରୀଙ୍କ ପରି ସମାନ କଠୋର ନିୟମ ଅଧୀନରେ ନାହିଁ ।
Comments are closed.