ପଞ୍ଜାବରେ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଆପ୍‌


ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ଫେବୃଆରୀ ୨୦ରେ ଭୋଟ୍ ଗ୍ରହଣ। ରାଜ୍ୟରେ ଶାସନ ଦଖଲ କରିବାକୁ ଫୁଲଦମରେ ଲାଗି ପଡ଼ିଛି ଆଦମୀ ପାର୍ଟି(ଆପ୍) । ଦଳର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ଗସ୍ତରେ ଯାଇ ଜୋରସୋରରେ ଚଳାଇଛନ୍ତି ପ୍ରଚାର।

ପଞ୍ଜାବରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଥିବାବେଳେ ଆଜି ଘୋଷଣା ହୋଇପାରେ ପ୍ରାର୍ଥୀଙ୍କ ନାଁ। ଆପ୍‌ ପକ୍ଷରୁ ଆଜି ଦିନ ୧୨ଟାରେ ମୋହାଲି ଠାରେ ସାମ୍ବାଦିକ ସମ୍ମିଳନୀ ଡକା ଯାଇଛି। ଯେଉଁଠି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ। ଲୋକଙ୍କ ମତାମତ ପରେ କେଜ୍ରିୱାଲ ତାଙ୍କ ଦଳର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଥିଲେ। ଏଥିପାଇଁ ଗୋଟିଏ ନମ୍ବର (7074870748) ମଧ୍ୟ ଜାରି କରାଯାଇଥିଲା।

ସୂଚନା ଅନୁଯାୟୀ, ପ୍ରାୟ ୨୦ ଲକ୍ଷ ଲୋକ ସେମାନଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଆପ୍‌ ପାଖକୁ ପଠାଇଛନ୍ତି। ଏହାକୁ ଆଧାର କରି କେଜ୍ରିୱାଲ ପଞ୍ଜାବ ପାଇଁ ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ଆପ୍‌ ନେତା ହରପାଲ ସିଂହ ଚୀମା କହିଛନ୍ତି, ‘୯୬ ଘଣ୍ଟା ମଧ୍ୟରେ ଦଳକୁ ୧୯ ଲକ୍ଷ ପ୍ରତିକ୍ରିୟା ମିଳିଥିଲା। ଏହି ପ୍ରତିକ୍ରିୟା ଗୁଡିକର ୬.୫ ଲକ୍ଷରୁ ଅଧିକ ହ୍ୱାଟ୍ସଆପ୍ ମାଧ୍ୟମରେ। ପ୍ରାୟ ୨.୨୫ ଲକ୍ଷ ଭଏସ ମେସେଜ ଏବଂ ଅନ୍ୟ ୮ ଲକ୍ଷ ଭଏସ କଲ୍‌ ମାଧ୍ୟମରେ ପଠାଯାଇଥିଲା।

ଏହାକୁ ଆଧାର କରି ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ। ଏବେ ପଞ୍ଜାବରେ ମୁଖ୍ୟ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ଆପ୍‌ ୨୦୧୭ ବିଧାନସଭା ନିର୍ବାଚନରେ ୧୭ଟି ଆସନ ଦଖଲ କରିଥିଲା। ଅନ୍ୟପକ୍ଷରେ ପଞ୍ଜାବର ଆପ୍‌ ମୁଖ୍ୟ ତଥା ଲୋକସଭା ସାଂସଦ ଭଗବନ୍ତ ସିଂହ ମାନ୍ନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି। ଏହାବାଦ ଆଉ କିଛି ନେତାଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି।


Share It

Comments are closed.