ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ଟ୍ରେନକୁ ଆଧୁନିକ ଭାରତୀୟ ରେଳପଥର ତ୍ରିବେଣୀ କୁହାଯାଉଥିବାବେଳେ ବିହାର ଏହାର ସଙ୍ଗମସ୍ଥଳ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୪ରେ ବିହାରକୁ ଆଉ ଏକ ନୂତନ ରେଳସେବାର ଶୁଭାରମ୍ଭ କରିବେ। ମଧୁବାଣୀରୁ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସହରସାରୁ ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହା ବିହାରର ଦ୍ୱିତୀୟ ଏବଂ ଦେଶର ତୃତୀୟ ଅମୃତ ଭାରତ ଟ୍ରେନ ହେବ। ଏହା ବିହାରର ସାଂସ୍କୃତିକ ରାଜଧାନୀ ମିଥିଳାକୁ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ସହିତ ସିଧାସଳଖ ସଂଯୋଗ କରିବ। ବର୍ତ୍ତମାନ ଦରଭଙ୍ଗାରୁ ଅଯୋଧ୍ୟା ମାର୍ଗ ଦେଇ ଆନନ୍ଦ ବିହାର ଟର୍ମିନାଲକୁ ଅମୃତ ଭାରତ ଟ୍ରେନ୍ ଚଳାଚଳ କରୁଛି। ସୂଚନା ଥାଉକି, ଅମୃତ ଭାରତ ୨.୦ ଟ୍ରେନ ସାଧାରଣ ଯାତ୍ରୀମାନଙ୍କୁ କମ ଭଡ଼ାରେ ଉନ୍ନତ ସୁବିଧା, ଆରାମ ଏବଂ ସ୍ବଦେଶୀ ପ୍ରଯୁକ୍ତିର ଅଭିଜ୍ଞତା ପ୍ରଦାନ କରେ। ଏହି ଟ୍ରେନରେ ଅର୍ଦ୍ଧ-ସ୍ବୟଂଚାଳିତ କପଲର ବ୍ୟବହାର କରାଯାଇଛି। ଯେତେବେଳେ ଟ୍ରେନଗୁଡ଼ିକ ସଂଲଗ୍ନ କିମ୍ବା ପୃଥକ କରାଯାଏ, କୌଣସି ଝଟକା କିମ୍ବା ଶବ୍ଦ ହୁଏ ନାହିଁ। ଏଥିରେ ସ୍ଥାପିତ ଡିଫର୍ମସନ ଟ୍ୟୁବ ଧକ୍କା ହେଲେ ଆଘାତକୁ ହ୍ରାସ କରେ, ଯାହା ଫଳରେ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ପାଏ। ଏହା ଘଣ୍ଟାପ୍ରତି ସର୍ବାଧିକ ୧୩୦କିଲୋମିଟର ବେଗରେ ଗତି କରିପାରେ। ୨୨ କୋଚ ବିଶିଷ୍ଟ ଟ୍ରେନ ହୋଇଥିବାବେଳେ ପ୍ରାୟ ୪୫୦ ଟଙ୍କାରେ ୧୦୦୦ କିଲୋମିଟର ଯାତ୍ରା ସମ୍ଭବ। ଏଲଏଚବି କୋଚଗୁଡ଼ିକରେ ଜରୁରୀକାଳୀନ ଟକବ୍ୟାକ ସିଷ୍ଟମ ରହିଛି। ନନ ଏସି କୋଚରେ ଅଗ୍ନି ଚିହ୍ନଟ ବ୍ୟବସ୍ଥା, ବାହ୍ୟ ଜରୁରୀକାଳୀନ ଲାଇଟ ଓ ଇପି ସହାୟକ ବ୍ରେକ୍ ଭଳି ସୁବିଧା ସହ ଡିଜାଇନ୍ କରାଯାଇଛି।
Comments are closed.