ଖରା ବଢିଲେ ଖୋଜା ପଡ଼େ ମାଟି ପାତ୍ରର ଥଣ୍ଡା ପାଣି

Share It

ଶେରଗଡ଼: ଆଧୁନିକ ଯୁଗରେ ଲୋକଙ୍କ ରୁଚି ବଦଳୁଛି। ସାମାଜିକ ଜୀବନ ସହ ସମ୍ପୃକ୍ତ ରହିଥିବା ମାଟି ହାଣ୍ଡିର ଚାହିଦା ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଏଥି ସହ କୁମ୍ଭକାର ଙ୍କ ଜୀବନ ଓ ଜିବିକା ମଧ୍ୟ ସଙ୍କଟ ରେ ରହିଛି। ଦିନ ଥିଲା ଲୋକମାନେ ଅଧିକ ମାତ୍ରାରେ ମାଟି ସାମଗ୍ରୀ ଉପରେ ନିର୍ଭର କରୁଥିଲେ। ପୂଜା ପର୍ବପର୍ବାଣି ସମେତ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମାଟି ପାତ୍ର ବ୍ୟବହାର କରାଯାଉଥିଲା। ବିଶେଷ କରି ଗ୍ରୀଷ୍ମ ଋତୁରେ ମାଟି ପାତ୍ରର ଚାହିଦା ବେଶ ରହୁଥିଲା।

କିନ୍ତୁ ବର୍ତ୍ତମାନ ଥଣ୍ଡା ପାଣି ପିଈବା ଲାଗି ଅତ୍ୟାଧୁନିକ ଯନ୍ତ୍ରପାତି ବାହାରିବା ଫଳରେ ଲୋକଙ୍କ ଲାଗି ମାଟି ପାତ୍ରର ଚାହିଦା କମିଛି। ତେବେ ଏବେ ଖରା ବଢିବା ସହ ମାଟି ହାଣ୍ଡି, ମାଠିଆ, ସୁରେଈ ଆଦି ପାତ୍ରର ଚାହିଦା ବଢ଼ିବାରେ ଲାଗିଛି। ସାଈକେଲ ହେଉ କି ମୁଣ୍ଡରେ ହେଉ,କୁମ୍ଭକାର ପରିବାର ସଦସ୍ୟ ମାନେ ମାଟି ପାତ୍ର ବୋହି ନେଈ ଆଣି ଶେରଗଡ ବଜାର ସହ ସହରର ବିଭିନ୍ନ ସାହି ମାନଙ୍କ ରେ ମାଟି ପାତ୍ରର ପସରା ମେଲି ଦେଉଥିବା ଦେଖିବାକୁ ମିଳିଛି। ଖରା ଦିନେ ଅସହ୍ୟ ଗରମ କୁ ଲକ୍ଷ୍ୟ କରି ବହୁ ଲୋକ ମାଟି ପାତ୍ର କିଣୁଛନ୍ତି।

ଅଭାବୀ ଲୋକଙ୍କ ଲାଗି ବିଶେଷ କରି ପାଣି କୁ ଥଣ୍ଡା ରଖିବାକୁ ମାଟି ମାଠିଆ,ହାଣ୍ଡି ଏବଂ ସୁରେଈ ର ବିକଳ୍ପ ନାହିଁ। ପରିବେଶ ଅନୁକୂଳ ମାଟି ପାତ୍ର ଶରୀର ପାଇଁ ମଧ୍ୟ ଉପକାରୀ ଅଟେ। କୌଣସି ରାସାୟନିକ ଦ୍ରବ୍ଯ ବିନା ପ୍ରାକୃତିକ ଉପାୟରେ ଏହା ତିଆରି ହୋଈଥିବାରୁ ମାଟି ପାତ୍ରରେ ରହିଥିବା ଜଳ ଶରୀର କୁ ନିରୋଗ ରଖିଥାଏ। କୁମ୍ଭକାର ଙ୍କ ପାରମ୍ପରିକ ଜୀବିକାର ଏହି ମାଧ୍ୟମ ପୂର୍ବରୁ ବେଶ ଭଲଭାବରେ ଚାଲିଥିଲା। କିନ୍ତୁ ସମୟ ବଦଳିବା ସହ ଏହି ଧାରା ମଧ୍ୟ ବଦଳିଗଲା।

ସମୟାନୁକ୍ରମେ ଆଲୁମିନିୟମ, ଷ୍ଟିଲ ଆଦି ପାତ୍ର ମାଟି ପାତ୍ର ବଦଳରେ ବ୍ୟବହୃତ ହେଲା। ଫଳରେ କୌଳିକ ବୃତ୍ତି ସଙ୍କଟ ର ସମ୍ମୁଖୀନ ହେଲା। କେବଳ ମାଟି ଦୀପ, ସରା,କଳସୀ ଆଦି ସାମଗ୍ରୀ ହିଁ ଲୋକ ଙ୍କୁ ଆବଶ୍ୟକ ଦେଈଛି। ଶେରଗଡ ସହର ଓ ଏହାର ଆଖପାଖ ଅଞ୍ଚଳ ରେ ରହି ଆସିଥିବା କୁମ୍ଭକାର ପରିବାର ମାନେ ବିଭିନ୍ନ ପ୍ରକାର ମାଟି ପାତ୍ର ତିଆରି କରି ଶେରଗଡ ବଜାର ସହିତ ଆଖପାଖ ଅଞ୍ଚଳରେ ମାଟି ପାତ୍ରର ପସରା ମେଲାଉଥିବା ବେଳେ ଅନ୍ୟ ଦିନରେ ସାଈକେଲ କିମ୍ବା ମୁଣ୍ଡରେ ବୋଝେଇ କରି ଗାଁ ଗାଁ ବୁଲି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ମାଟି ହାଣ୍ଡି ଗଢିବା ଲାଗି ଯେତିକି ପରିଶ୍ରମ କରିବାକୁ ପଡୁଛି, ସେହି ଅନୁପାତରେ ପାରିଶ୍ରମିକ ମିଳୁନାହିଁ କି ସରକାରଙ୍କ ତରଫରୁ କୌଣସି ସହାୟତା ମିଳୁନାହିଁ ବୋଲି କୁମ୍ଭକାର ପରିବାର ମାନେ ପ୍ରକାଶ କରିଛନ୍ତି।


Share It

Comments are closed.