Starlink : ଅଶ୍ୱିନୀ ବୈଷ୍ଣବ ପ୍ରଥମେ ଷ୍ଟାରଲିଙ୍କର ଭାରତ ପ୍ରବେଶକୁ ସ୍ୱାଗତ କରି, ପରେ କାହିଁକି ଡିଲିଟ କଲେ ପୋଷ୍ଟ
ନିକଟରେ ଜିଓ ଏବଂ ଏୟାରଟେଲ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସର ଷ୍ଟାରଲିଙ୍କ ସାଟେଲାଇଟ୍ ସେବା ପାଇଁ ଭାଗିଦାରୀ କରିଛନ୍ତି, ଯାହା ଅଧୀନରେ ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଉତକ୍ଷେପଣ କରାଯିବ। ଏହି ଭାଗିଦାରୀ ଘୋଷଣାର ଗୋଟିଏ ଦିନ ପରେ, ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ୍ସ (ପୂର୍ବରୁ ଟ୍ୱିଟର)ରେ ଏକ ପୋଷ୍ଟ କରି ଷ୍ଟାରଲିଙ୍କ ସହିତ ଏହି ଭାଗିଦାରୀକୁ ସ୍ୱାଗତ କରିଥିଲେ। ସେ ଲେଖିଛନ୍ତି, ଷ୍ଟାରଲିଙ୍କ୍, ଭାରତକୁ ସ୍ୱାଗତ!’ କିନ୍ତୁ କିଛି ସମୟ ପରେ ମନ୍ତ୍ରୀ ଏହି ଟୁଇଟ୍ ଡିଲିଟ୍ କରିଦେଇଥିଲେ। ବୈଷ୍ଣବ ତାଙ୍କ ପୋଷ୍ଟରେ ଏହା ମଧ୍ୟ ଲେଖିଛନ୍ତି ଯେ “ଏହି ସେବା ଦୁର୍ଗମ ରେଳ ପ୍ରକଳ୍ପ ପାଇଁ ଉପଯୋଗୀ ହେବ । ”
ଷ୍ଟାରଲିଙ୍କ୍ ହେଉଛି ଏକ ଉପଗ୍ରହ ଭିତ୍ତିକ ଇଣ୍ଟରନେଟ୍ ସେବା ଯାହା ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ ସଂଯୋଗ ପ୍ରଦାନ କରିଥାଏ। ଏହା ପାରମ୍ପରିକ ଫାଇବର କେବୁଲ ଉପରେ ନିର୍ଭର କରେ ନାହିଁ, ଯାହା ଦ୍ୱାରା ଏହି ସେବା ସହଜରେ ଅପହଞ୍ଚ ଏବଂ ଦୁର୍ଗମ ଅଞ୍ଚଳରେ ପହଞ୍ଚିପାରିବ | ଏହାବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରତିକୂଳ ପାଣିପାଗ ସମୟରେ ମଧ୍ୟ ଏହା ସ୍ଥିର ଯୋଗାଯୋଗ ବଜାୟ ରଖିପାରିବ।
ସ୍ପେସ୍ ଏକ୍ସ ଏବେ ବି ଭାରତରେ ଷ୍ଟାରଲିଙ୍କ ସେବା ଆରମ୍ଭ କରିବା ପାଇଁ ସରକାରୀ ଅନୁମୋଦନକୁ ଅପେକ୍ଷା କରିଛି, କିନ୍ତୁ ବର୍ତ୍ତମାନ ଆଇଟି ମନ୍ତ୍ରୀ ପୋଷ୍ଟ କରିଥିବାରୁ ଏହି ଅନୁମୋଦନ ଖୁବଶୀଘ୍ର ଆସିପାରେ ବୋଲି ଆଶା କରାଯାଉଛି, ଯଦିଓ ଏହି ପୋଷ୍ଟକୁ କୁ ହଟାଇବା କିଛି ସଙ୍କେତ ଦେଉଛି । ସାଟେଲାଇଟ୍ ଭିତ୍ତିକ ଯୋଗାଯୋଗ କୁ ନେଇ ଭାରତ ସତର୍କ ରହିବା ସହ ସାଟେଲାଇଟ୍ ଫୋନ୍ ବ୍ୟବହାରକୁ କଡ଼ାକଡ଼ି ଭାବେ ନିୟନ୍ତ୍ରଣ କରୁଛି। ଏହା ପୂର୍ବରୁ ଏଲନ୍ ମସ୍କ ଷ୍ଟାରଲିଙ୍କ୍ ପାଇଁ ଅନୁମୋଦନ ପାଇବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ।
ଏବେ ସ୍ଥିତି ବଦଳିବାରେ ଲାଗିଛି। ଏଲନ୍ ମସ୍କ ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଏକ (ଅନୌପଚାରିକ) ଅଂଶ ପାଲଟିଯାଇଛନ୍ତି ଏବଂ ଏହା ତାଙ୍କ ପ୍ରତି ଭାରତ ସରକାରଙ୍କ ଆଭିମୁଖ୍ୟକୁ ଟିକିଏ ନରମ କରିପାରେ । ସେହିଭଳି ଇଲେକ୍ଟ୍ରିକ୍ କାର ଉପରେ ଆମଦାନୀ ଶୁଳ୍କରେ ପରିବର୍ତ୍ତନ ମଧ୍ୟ ଟେସ୍ଲା ପାଇଁ ଅନୁକୂଳ ସାବ୍ୟସ୍ତ ହୋଇଛି।
Comments are closed.