ବୟନିକାର ୩୮ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

Share It

ବୁଣାକାରଙ୍କ ବିକାଶ ପାଇଁ ବୟନିକା ସମର୍ପିତ: ମୁଖ୍ୟ ଅତିଥି

ଭୁବନେଶ୍ୱର, ତା ୧୨/୦୩: ବୁଣାକାରଙ୍କ ଆର୍ଥିକ ବିକାଶ ପାଇଁ ବୟନିକା ସମ୍ପୂର୍ଣ୍ଣ ସମର୍ପିତ ଓ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର । ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ (ବୟନିକା)ର ୩୮ତମ ବାର୍ଷିକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି ।

ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ ସଭାଗୃହରେ ସମିତି ସଭାପତି ପ୍ରକାଶ ଚନ୍ଦ୍ର ମେହେର ଅଧ୍ୟକ୍ଷତାରେ ଆଜି ବାର୍ଷିକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ପରିଚାଳନା ପରିଷଦର କର୍ମକର୍ତ୍ତା ଓ ସଭ୍ୟସଭ୍ୟା, ୨୭୧ଟି ସଭ୍ୟ ସମିତିର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ବୁଣାକାରଙ୍କ ଆର୍ଥିକ ସମୃଦ୍ଧି ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ସମ୍ପର୍କରେ ବୟନ ଶିଳ୍ପ ନିର୍ଦ୍ଦେଶକ ବିକ୍ରମାଦିତ୍ୟ ବାରିକ କହିଥିଲେ । ଗ୍ରାହକଙ୍କ ରୁଚିକୁ ପ୍ରାଥମିକତା ଦେଇ ନୂଆ ନୂଆ ଡିଜାଇନ୍‌ରେ ଲୁଗା ବୁଣିବା ପାଇଁ ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତି ଛୋଟ୍ଟରାୟ ନିଜ ଅଭିଭାଷଣରେ ବୁଣାକାରଙ୍କୁ ପ୍ରେରିତ କରିଥିଲେ । ଅଧିକରୁ ଅଧିକ ବ୍ୟବସାୟ ପାଇଁ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବୟନ ଶିଳ୍ପ ଯୁଗ୍ମ ନିର୍ଦ୍ଦେଶକ ଦେବଜିତ ନନ୍ଦୀ ସଭାରେ ଅବଗତ କରାଇଥିଲେ ।

ପରିଚାଳନା ପରିଷଦର ସଭ୍ୟ ଶ୍ରୀଧର ବେହେରା ଓ ଶେଷ କୁମାର ମେହେର ବୟନିକାର ଆଭିମୁଖ୍ୟ ବିଷୟରେ ଉପସ୍ଥାପନ କରିଥିଲେ । ବୁଣାକାରମାନଙ୍କର ଜୀବନ-ଜୀବିକାରେ ଉନ୍ନତି ସହ ବ୍ୟବସାୟିକ ରଣନୀତି, ଅଧିକ ଷ୍ଟୋର୍ ଖୋଲିବା, ଡିଜାଇନର୍ ବଜାର, ରପ୍ତାନୀରେ ବୃଦ୍ଧି ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଆଗାମୀ ବର୍ଷ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତ କରିବାକୁ ମତ ପ୍ରକାଶ ପାଇଥିଲା ।

ସମିତି ସଭାପତି ପ୍ରକାଶ ଚନ୍ଦ୍ର ମେହେର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବୟନିକାର ସାଧାରଣ ପରିଚାଳକ ତଥା ସମ୍ପାଦକ ଡକ୍ଟର ସୁଷମା ବାରିକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Share It

Comments are closed.