ରାଜ୍ୟରେ ୪୦ ଟପିବ ତାପମାତ୍ରା, ଏନେଇ ସବୁ ଜିଲ୍ଲାପାଳଙ୍କୁ କରାଗଲା ସତର୍କ
ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ବୋଲି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ତାତି ୪୦ ଡିଗ୍ରୀ ଟପିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ରବିବାର ବୌଦ୍ଧ ସବୁଠୁ ତତଲା ପାଲଟିଥିଲା । ଏଠାରେ ଦିନ ତାପମାତ୍ରା ୩୮.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଟିଟିଲାଗଡ଼ରେ ୩୮, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୩୭.୪, ସୋନପୁରରେ ୩୭.୨, ଭବାନୀପାଟଣାରେ ୩୭ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୩୪ଡିଗ୍ରୀ ଓ କଟକରେ ୩୩ ଡିଗ୍ରୀ ରହିଥିଲା ।
ଆସନ୍ତା ୪ରୁ ୫ ଦିନ ଯାଏ ଦିନବେଳା ତାତି କ୍ରମଶଃ ୩ରୁ ୫ଡିଗ୍ରୀ ବଢ଼ିପାରେ ବୋଲି ଆକଳନ କରାଯାଇଛି । ସେହିଭଳି ରାତି ତାପମାତ୍ରା ବି ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇବା ସହ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ୍ ରହିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ନାଗରିକ, ଶିଶୁ ଓ ଅସୁସ୍ଥ ବ୍ୟକ୍ତି ଖରାରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।
୧୦ ତାରିଖରେ ସମ୍ବଲପୁର, ସୋନପୁର, ଟିଟିଲାଗଡ଼, ଭବାନୀପାଟଣାରେ ତାତି ୪୦ ଡିଗ୍ରୀ ରହିବ । ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୩୯ ଡିଗ୍ରୀ, ନୂଆପଡ଼ା, ରାଉରକେଲା, ସୁନ୍ଦରଗଡ଼ ଓ ମାଲକାନଗିରି, ବାରିପଦା ଓ ପାରଳାଖେମୁଣ୍ଡିରେ ୩୮, ଫୁଲବାଣୀରେ ୩୭ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
୧୧ ତାରିଖ(ମଙ୍ଗଳବାର) ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଟିଟିଲାଗଡ଼ରେ ତାତି ୪୧ ଡିଗ୍ରୀ ଛୁଇଁବ । ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୪୦ଡିଗ୍ରୀ, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା ଓ ନୂଆପଡ଼ା, ପାରଳାଖେମୁଣ୍ଡିରେ ତାପମାତ୍ରା ୩୯ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୨ ତାରିଖରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ।
Comments are closed.