ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟକୁ ନେଇ ପାଣିପାଗ ବିଭାଗର ଚେତାବନୀ, ୧୨ ଘଣ୍ଟା ମଧ୍ୟରେ ନେଇପାରେ ବାତ୍ୟାର ରୂପ
ରବିବାର ଠାରୁ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାରେ ପ୍ରବଳ ବର୍ଷା ହେବାର ସୂଚନା ନେଇ ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଓଡ଼ିଶାରେ ୟେଲୋ ଆଲର୍ଟ ଜାରି କରାଯାଇଛି ଯେଉଁଠାରେ ଉତ୍ତର ଆନ୍ଧ୍ରପ୍ରଦେଶରେ ଘୂର୍ଣ୍ଣିବଳୟ ପରି ପରିସ୍ଥିତି ସୃଷ୍ଟି ହେଉଛି। ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ ବଙ୍ଗୋପସାଗରର ଉତ୍ତର-ପୂର୍ବ ଏବଂ ପୂର୍ବ-ମଧ୍ୟ ଭାଗରେ ବାୟୁ ଚାପ ବୃଦ୍ଧି ପାଉଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହାର ଗତି ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ଏବଂ ରବିବାର ସନ୍ଧ୍ୟା ସୁଦ୍ଧା ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶର ଉପକୂଳରେ ପହଞ୍ଚିବ, ଯେଉଁଥିପାଇଁ ବର୍ଷା ହେବାର ସମ୍ଭାବନା ଅଛି |
୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଉଛି । ଗୋପାଳପୁର-ବିଶାଖାପାଟଣା ମଧ୍ୟରେ କଳିଙ୍ଗପଟ୍ଟନମରେ ଏହା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାକୁ ୭୦ରୁ ୮୦ କି.ମି. ରହିବ ବୋଲି ଆକଳନ କରାଯାଉଛି । ୨୭ ତାରିଖରେ ବାତ୍ୟା ଦୁର୍ବଳ ହୋଇ ପୁଣି ଅବପାତ ହେବ। ଏହାପରେ ମାଲକାନଗିରି ଦେଇ ଛତିଶଗଡ଼ ଅଭିମୁଖେ ଅଗ୍ରସର କରିବ। ଗୋପାଳପୁରରୁ ପୂର୍ବ ଓ ଦକ୍ଷିଣ ପୂର୍ବରୁ ୫୧୦ କି.ମି. ଦୂରରେ ଅବସ୍ଥିତ ରହିଛି । ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ତେବେ ବାତ୍ୟାର ସର୍ବାଧିକ ପ୍ରଭାବ ୨୬ ଓ ୨୭ ତାରିଖରେ ଅନୁଭୂତ ହେବ । ସେପଟେ ଶନିବାର ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ୨୬ ତାରିଖରେ ୫ଟି ଜିଲ୍ଲା ପୁରୀ , ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହି ୫ ଜିଲ୍ଲା ସହିତ ଉପକୂଳ ଓ ଦକ୍ଷିଣ ଓଡ଼ିଶା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୭ ତାରିଖରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ, ଏଥିପାଇଁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୭ ତାରିଖରେ ୬ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର ଏବଂ ନୂଆପଡ଼ା ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
Comments are closed.