ଧାନ କିଣାରେ ଅନିୟମିତତା ଅଭିଯୋଗରେ ୧୫ ଜଣ ପ୍ୟାକ୍ସ ସଂପାଦକ ନିଲମ୍ବିତ ଓ ଜଣେ ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ
୨୦୨୦-୨୧ ଖରିଫ ବିପଣନ ଋତୁରେ ଖରିଫ ଧାନ କିଣାରେ ଅନିୟମିତତା ଓ ସରକାରୀ ନିର୍ଦ୍ଦେଶନାମାର ଉଲ୍ଲଂଘନ ଅଭିଯୋଗରେ ୧୫ ଜଣ ପ୍ରାଥମିକ ସମବାୟ ସମିତିର ସଂପାଦକଙ୍କୁ ସମବାୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି ଓ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ଧାନକିଣାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ପରିପ୍ରେକ୍ଷୀରେ ‘୫-ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମରେ କୌଣସି ଅନିୟମିତତାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ସଂପାଦକମାନେ ହେଲେ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ନୂଆମୁରା ପ୍ୟାକ୍ସର ରାଧାକାନ୍ତ ଭୋଇ, ଧମା ପ୍ୟାକ୍ସର ସରୋଜ କୁମାର ଦାସ , ଚାରମାଳ ପ୍ୟାକ୍ସର ଅସିତ କୁମାର ପ୍ରଧାନ, ସାହାସପୁର ପ୍ୟାକ୍ସର କୃପାସିନ୍ଧୁ ସାହୁ, ସମରବାଗ ପ୍ୟାକ୍ସର ସଂପାଦକ ପ୍ରମୋଦ କୁମାର ଭୋଇ, ଲଖନପୁର ପ୍ୟାକ୍ସର ଭାରପ୍ରାପ୍ତ ସଂପାଦକ ପ୍ରଦୀପ ସା । ସେହିପରି ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ବୈଦ୍ୟନାଥ ପ୍ୟାକ୍ସର ଦିଲ୍ଲୀପ ସୁନା, ମହୁଲି ଏବଂ ଖରି ପ୍ୟାକ୍ସର ସଂପାଦକ ଓ ଭାରପ୍ରାପ୍ତ ସଂପାଦକ ରବି ମିଶ୍ର, ଜଟେସିଂହ ପ୍ୟାକ୍ସର ସିଇଓ ଘନଶ୍ୟାମ ପ୍ରଧାନ, ଉଲୁଣ୍ଡା ପ୍ୟାକ୍ସର ସିଇଓ ରାମକୃଷ୍ଣ ପାଢୀ ଓ ମୁରଶୁଣ୍ଡି ପ୍ୟାକ୍ସର ସିଇଓ ପ୍ରଭାତ କୁମାର ସାହୁଙ୍କୁ ନିଲମ୍ବନ କରାଯାଇଛି । ଏଥି ସହିତ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ବାଘିଆପଡା ପ୍ୟାକ୍ସର ସଂପାଦକ ନେତ୍ରାନନ୍ଦ ପୁରୋହିତ, ରାମଗଡ ପ୍ୟାକ୍ସର ସଂପାଦକ ନିରୋଦ କୁମାର ପାତ୍ର ଏବଂ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ସଢା ପ୍ରାଥମିକ ସମବାୟ ସମିତିର ସଂପାଦକ ଦୀନବନ୍ଧୁ ଜେନା ଓ ସହକାରୀ ସଂପାଦକ ଶୁକଦେବ ରାଉତଙ୍କୁ ନିଲମ୍ବନ କରାଯାଇଥିବାବେଳେ ସଢା ପ୍ୟାକ୍ସର ଡାଟା ଏଣ୍ଟ୍ରି ଅପରେଟର ମନୋଜ କୁମାର ନାୟକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି ।
Comments are closed.