କଟ୍‌ନୀଛଟ୍‌ନୀ ବନ୍ଦ କରି ତୁରନ୍ତ ମଣ୍ଡିରୁ ଧାନ ଉଠାନ୍ତୁ ରାଜ୍ୟ ସରକାର- ବିଜୟପାଲ ସିଂ ତୋମାର


ସମ୍ବଲପୁର – ଚଷାଚାଷୀ ଅଂଚଳ ସମ୍ବଲପୁରରେ ରାଜ୍ୟ ସରକାରଙ୍କ ଅପାରଗତା ଓ ଅବ୍ୟବସ୍ଥା କାରଣରୁ ମଣ୍ଡିରେ ଧାନ ପଡ଼ରହୁଥିବା କାରଣରୁ ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ତେଣୁ ତୁରନ୍ତ ମଣ୍ଡିରୁ ଧାନ ଉଠାଇବା ଓ କଟନୀଛଟନୀ ବନ୍ଦ କରିବା ନେଇ ଗୁରୁବାର ସମ୍ବଲପୁରରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଚାଷୀ ଅଧିକାର ରାଲିରେ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରିଛି ବିଜେପି । ଟୋକନ୍ ଓ ମଣ୍ଡି ବ୍ୟବସ୍ଥା ନେଇ ୩୭ଟି ବିଧାନସଭା କ୍ଷେତ୍ରର ଚାଷୀ ସମ୍ବଲପୁର ଆରଡିସି ଅଫିସ ଘେରାଉ କରିଥିବା ବେଳେ ବିଜେପିର ବିଶାଳ ଚାଷୀ ସମାବେଶରେ ହଜାର ହଜାର ଚାଷୀ ସାମିଲ ହୋଇଥିଲେ ।
ରାଜ୍ୟସଭା ସାଂସଦ ତଥା ଓଡିଶାର ସହପ୍ରଭାରୀ ବିଜୟପାଲ ସିଂ ତୋମାର ଓଡ଼ିଶା ସରକାରଙ୍କୁ ସମାଲଚୋନା କରି କହିଛନ୍ତି ଯେ ଦେଶରେ ଅନେକ କେନ୍ଦ୍ରୀୟ ଯୋଜନା ଲାଗୁ ହେଉଥିବା ବେଳେ ରାଜ୍ୟ ସରକାର ଏହି ଯୋଜନା କାହିଁକି ଲାଗୁ କରିନାହାଁନ୍ତି?ଦୀର୍ଘ ଦିନ ଧରି କଂଗ୍ରେସ ଶାସନ କ୍ଷମତାରେ ରହିଥିଲେ ମଧ୍ୟ ଚାଷୀମାନେ ଅବହେଳିତ ହୋଇଆସୁଥିଲେ ଏବଂ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳୁନଥିଲା । ଓଡ଼ିଶାରେ ମଧ୍ୟ ଅନୁରପ ଭାବେ ଏଭଳି ଅବ୍ୟବସ୍ଥା ଦେଖାଯାଇଛି । ରାଜ୍ୟ ସରକାର ଓ ଦଲାଲଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଓ କଟନୀଛଟନୀ କାରଣରୁ ଚାଷୀମାନେ ହଇରାଣ ହେଉଛନ୍ତି ।
ମାତ୍ର ପ୍ରଧାନମନ୍ତ୍ରୀ ମୋଦି ୨୦୧୪ରେ ଶାସନରେ ରହିବା ଦିନ ଠାରୁ ଚାଷୀଙ୍କ ପାଇଁ କୃଷି ସିଚାଇ ଯୋଜନା ସମେତ ଚାଷୀଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । କୃଷି କ୍ଷେତ୍ର ସମୃଦ୍ଧଶାଳୀ ହେଲେ ଦେଶ ସମୃଦ୍ଧଶାଳୀ ହେବ, ଏହି ଚିନ୍ତାଧାରରେ ମୋଦି ସରକାର ଚାଷୀଙ୍କ ପାଇଁ କାମ କରୁଛନ୍ତି । ଅପରପକ୍ଷରେ ଗରିବଙ୍କ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି ବୋଲି ଶ୍ରୀ ତୋମାର ପ୍ରଶ୍ନ କରିଛନ୍ତି ।
ସେହିପରି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ରାଜ୍ୟରେ ଟୋକନ ବ୍ୟବସ୍ଥା ଥିଲେ ଚାଷୀଙ୍କୁ ଉତ୍ପାଦିତ କୃଷି ସାମଗ୍ରୀର ଉଚିତ୍ ମୂଲ୍ୟ ମିଳୁନାହିଁ । ସେହିପରି ସଠିକ୍ ମୂଲ୍ୟ ନପାଇ ବରଗଡ଼ରେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ଘଟିବା ଚିନ୍ତାଜନକ । ସମ୍ବଲପୁର ଅଂଚଳରେ ମଣ୍ଡି ସମସ୍ୟା ସମାଧାନ ହେଉନଥିବା ବେଳେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ମଣ୍ଡିରେ ଶହଶହ ବସ୍ତା ଧାନ ପଡ଼ି ବିକ୍ରି ହୋଇପାରୁନାହିଁ । ସମ୍ବଲପୁରରେ ମନୁଷ୍ୟକୃତ ଅବ୍ୟବସ୍ଥା କାରଣରୁ ମଣ୍ଡିରେ ଧାନ ପଡ଼ିରହିଛି ।
ଚାଷୀଙ୍କ ଧାନ କିଣା ସମସ୍ୟା ନଉଠାଇ ମିଲରଙ୍କ କଥାରେ ପଡ଼ି ଉଷୁନା – ଅରୁଆ ଧାନ ପ୍ରସଙ୍ଗ କରିବା କେତେ ଯୁକ୍ତିଯୁକ୍ତ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେହିପରି ରାଜ୍ୟ ସରକାର ଟୋକନ ବ୍ୟବସ୍ଥା ଉଚ୍ଛେଦ କରି ନିର୍ଦ୍ଧାରିତ ଅଣଜଳସେଚିତ ଜମିରୁ ୧୩ କ୍ୱିଂଟାଲ ଓ ଜଳସେଚିତ ଜମିରୁ ୧୯ କ୍ୱିଂଟାଲ ଧାର୍ଯ୍ୟ ସୀମାକୁ ବନ୍ଦ କରି ଚାଷୀର ଉତ୍ପାଦିତ ସମସ୍ତ ଧାନକୁ କିଣନ୍ତୁ । ଖରିଫ ଋତୁରେ ଅଚଳ ହୋଇଥିବା ଟୋକନର ପୁନଃକାର୍ଯ୍ୟକ୍ଷମ କରାଯିବା ନେଇ ମଧ୍ୟ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ଅପରପକ୍ଷରେ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଫସଲ ବୀମା ଯୋଜନାର ଶୁଭାରମ୍ଭ କରିବା ସହ ଓଡ଼ିଶାର ୨୦ ଲକ୍ଷ ଚାଷୀଙ୍କ ପାଇଁ ୪ହଜାର କୋଟି ଟଙ୍କା ଦେବାର ବ୍ୟବସ୍ଥା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଧାନର ଏମଏସପି କ୍ୱଂଟାଲ ପିଛା ୧୩୧୦ଟଙ୍କାରୁ ବଢ଼ି ୧୮୬୮ରେ ପହଁଚିଛି । ମାତ୍ର ରାଜ୍ୟରେ ଚାଷୀମାନେ ସଠିକ୍ ଏମଏସପି ମୂଲ୍ୟ କାହିଁକି ପାଉନାହାନ୍ତି ତାହାର ଉତର ରାଜ୍ୟ ସରକାର ଦିଅନ୍ତୁ । ଏଠାରେ ମୋଦିଙ୍କ ପଇସା ଲୁଟ୍ କରାଯାଉଛି । ଚାଷୀଙ୍କୁ ନ୍ୟାୟ ନମିଳିବା ନପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରୀ ରଖିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସମାବେଶରେ ବରଗଡ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ତଲସରା ବିଧାୟକ ଭବାନୀ ଭୋଇ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ୍ ଦାସ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାଶିଶ ଆଚାର୍ଯ୍ୟ, ସମ୍ବଲପୁର ଜିଲ୍ଲା ସଭାପତି ଗିରଶ ପଟେଲ, ଦେବଗଡ ଜିଲ୍ଲା ସଭାପତି ମୀନକେତନ ପ୍ରଧାନ, ବରଗଡ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ, ପାନପୋଷ ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ବଣେଇ ଜିଲ୍ଲା ସଭାପତି ଅନିଲ ବାର୍ଲା, ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, କଳାହାଣ୍ଡି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ନୂଆପଡା ଜିଲ୍ଲା ସଭାପତି ସୁବ୍ରତ ଠାକୁର, ଝାରସୁଗୁଡା ଜିଲ୍ଲା ସଭାପତି ମଙ୍ଗଳ ସାହୁ, ସୋନପୁର ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ପ୍ରମୁଖ ଏହି ଚାଷୀ ସମାବେଶରେ ସାମିଲ ହୋଇଥିଲୋ


Share It

Comments are closed.