ବିଜେପି ସରପଞ୍ଚଙ୍କୁ ଅତି ନୃଶଂସ ଭାବେ ହତ୍ୟା କଲେ ଆତଙ୍କବାଦୀ
ଜାମ୍ମୁ-କାଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀମାନେ ଜଣେ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି। ତାଙ୍କ ନାମ ହେଉଛି ସଜାଦ ଅହମ୍ମଦ। ସେ ବିଜେପି ସମର୍ଥିତ ପ୍ରାର୍ଥୀଭାବେ ସରପଞ୍ଚ ନିର୍ବାଚନରେ ବିଜୟୀ ହୋଇଥିଲେ। ସଜାଦ ନିଜ ଘର ବାହାରେ ଛିଡ଼ା ହୋଇଥିବାବେଳେ ଆତଙ୍କବାଦୀମାନେ ବାଇକ୍ରେ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଫଳରେ ସେ ସେହିଠାରେ ଟଳି ପଡ଼ିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ପରିବାର ଲୋକେ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ଗତ ଜୁଲାଇରେ ବିଜେପିର ବାନ୍ଦିପୋରା ଜିଲା ସଭାପତି ଏବଂ ତାଙ୍କ ଭାଇ ଓ ବାପାଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାର ମାସକ ତଳେ ଜୁନ ୮ରେ ଅନନ୍ତନାଗରେ କଂଗ୍ରେସ ନେତା ତଥା ସରପଞ୍ଚ ଅଜୟ ପଣ୍ଡିତଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ବାରମ୍ବାର ଏପରି ଘଟଣା ଘଟୁଥିବାରୁ ସ୍ଥାନୀୟ ନେତାମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି।
Comments are closed.