ଡବ୍ଲୁଏଚଓ ଉପରେ ବର୍ଷିଲେ ଟ୍ରମ୍ପ, ପତ୍ର ଲେଖି ସ୍ଥାୟୀ ଭାବେ ଫଣ୍ଡିଙ୍ଗ ବନ୍ଦ କରିବାର ଦେଲେ ଧମକ

Share It

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଗ୍ରିବିୟେସସଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଯଦି ଆସନ୍ତା ତିନି ଦିନ ମଧ୍ୟରେ ସଂଗଠନ ପକ୍ଷରୁ କୌଣସି ସଠିକ ପଦକ୍ଷେପ ଗ୍ରହଣ ନ କରାଯିବ ତେବେ ଆମେରିକା ନିଜର ଫଣ୍ଡିଙ୍ଗକୁ ସ୍ଥାୟୀ ରୂପରେ ବନ୍ଦ କରିଦେବ ।
ଡୋନାଲ୍ଡ ଟ୍ରମ୍ପ ଏହି ପତ୍ରରେ ସଂଗଠନରେ ନିଜ ସଦସ୍ୟତା ଉପରେ ପୁର୍ନବିଚାର କରିବାର କଥା ମଧ୍ୟ କହିଛନ୍ତି । ପୁରା ଦୁନିଆରେ କାୟା ବିସ୍ତାର କରିଥିବା କରୋନା ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବ୍ୟବହାରକୁ ଦେଖି ଆମେରିକା ଲମ୍ବା ସମୟରୁ ସଂଗଠନ ଉପରେ ଅସନ୍ତୁଷ୍ଟ ରହିଛି । ଆମେରିକା ପୂର୍ବରୁ ହିଁ ଫଣ୍ଡିଙ୍ଗକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛି ।


ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ନେଇ ଅନେକ ମନ୍ତବ୍ୟ ଦେଇଛନ୍ତି । ସେ କହିଥିଲେ ଯେ ସେ ଡବ୍ଲୁଏଚଓ କାମକୁ ନେଇ ଖୁସି ନାହାନ୍ତି । ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଚୀନ ପ୍ରତି ପକ୍ଷପାତୀ ହେବାର ଆରୋପ ମଧ୍ୟ ଲଗାଇଥିଲେ । ଆମେରିକା ଏହା ମଧ୍ୟ ଆରୋପ ଲଗାଇଥିଲା ଯେ ଚୀନର କହିବା ଦ୍ୱାରା ହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦୁନିଆକୁ ଏହି ମହାମାରୀ ବିଷୟରେ ବିଳମ୍ବରେ ଖବର ଦେଇଛି । ଏମିତିରେ ଏଭଳି ଆରୋପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଖାରିଜ କରାଯାଇଛି ।
କରୋନା ଭାଇରସ ଯୋଗୁଁ ଆମେରିକାରେ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ମୃତ୍ୟୁ ହୋଇଛି ଏବଂ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ସବୁଠାରୁ ବେଶି ରହିଛି । ଆମେରିକାରେ ଏପର୍ଯ୍ୟନ୍ତ ପାଖାପାଖି ଏକ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି ଏବଂ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କରୋନା ଭାଇରସରେ ସଂକ୍ରମିତ ଅଛନ୍ତି । ଏହା ପରେ ରୁଷରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨,୭୮,୧୮୮ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ରହିଛି ୨,୭୨୨ା ତୃତୀୟ ସ୍ଥାନରେ ରହିଛି ସ୍ପେନ ଯେଉଁଠି ସଂକ୍ରମିତଙ୍କ ସଂଖ୍ୟା ୨,୭୮,୧୮୮ ଏବଂ ମୃତକଙ୍କ ସଂଖ୍ୟା ୨୭,୭୦୯ ରହିଛି । ପୁରା ଦୁନିଆରେ ଏପର୍ଯ୍ୟନ୍ତ କୋଭିଡ-୧୯ରେ ୪୮ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ତିନି ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି ।


Share It

Comments are closed.