ପ୍ରେରଣା: ନିଜ ପ୍ରତିଭା ମାଧ୍ୟମରେ ବ୍ୟବସାୟ କରୁଛନ୍ତି ୯୦ ବର୍ଷୀୟା ମହିଳା


ସ୍ୱପ୍ନ ପୂରା କରିବାର କୌଣସି ବୟସ ନଥାଏ । ଏହା ପ୍ରମାଣ କରିଦେଖାଇଛନ୍ତି ଆସାମରେ ରହୁଥିବା ଲତିକା ଚକ୍ରବର୍ତୀ । ୯୦ ବର୍ଷର୍ୀୟା ଲତିକା ଦୁଇ ବର୍ଷ ତଳେ ବ୍ୟବସାୟ ଆରମ୍ଭ କରିଥିଲେ, ଆଉ ଆଜି ସେ ସବୁଆଡେ ଚର୍ଚ୍ଚିତ । ୯୦ ବର୍ଷ ବୟସରଙ୍କ ମଧ୍ୟ ତାଙ୍କ ଉତ୍ସାହ କମିନାହିଁ । ଜୀବନର ଶେଷ ପାହାଚରେ ମଧ୍ୟ ସେ ଖୁବ୍ ସକ୍ରିୟ ଜୀବନ ବଂଚୁଛନ୍ତି । ଲତିକାଙ୍କର ଜନ୍ମ ଆସାମର ଧୁବରି ଜିଲ୍ଲାରେ ହୋଇଥିଲା । ସେହି ସହରରୁ ଲତିକା ନିଜର ପାଠ ପଢା ଶେଷ କରିଥିଲେ । ଲତିକାଙ୍କର ଖୁବ୍ କମ୍ ବୟସରେ ବିବାହ ହୋଇଥିଲା । ତାଙ୍କ ସ୍ୱାମୀ କୃଷ୍ଣ ଲାଲ ଚକ୍ରବର୍ତୀ ସର୍ଭେ ଅଫ୍ ଇଣ୍ଡିଆରେ ଅଧିକାରୀ ଥିଲେ । ଏହି ଚାକିରି କାରଣରୁ ତାଙ୍କୁ ରାଜ୍ୟସାରା ବୁଲିବାକୁ ପଡୁଥିଲା । ଲତିକା ମଧ୍ୟ ସ୍ୱାମୀଙ୍କ ସହ ବିଭିନ୍ନ ସ୍ଥାନକୁ ଯାଉଥିଲେ । ଅନେକ ସ୍ଥାନକୁ ଯାତ୍ରା କରିବା ପରେ ଲତିକା ସେହି ସ୍ଥାନଗୁଡିକ ପୋଷାକ ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ ଓ ସେଗୁଡିକୁ ନିଜେ ସିଲେଇ କରିବା ମଧ୍ୟ ଆରମ୍ଭ କରିଥିଲେ ।

ଲତିକା କୁହନ୍ତି ସିଲେଇ କରି ତାଙ୍କୁ ମାନସିକ ଶାନ୍ତି ମିଳିଥାଏ ଓ ସେ ନିଜ ପିଲାମାନଙ୍କ ପୋଷାକ ନିଜେ ସିଲେଇ କରିବା ସହ ପିଲାମାନଙ୍କ ପାଇଁ କଣ୍ଢେଇ ମଧ୍ୟ ତିଆରି କରୁଥିଲେ । କିନ୍ତୁ ସମୟ ବଦଳିବା ସହ ତାଙ୍କ ସିଲେଇ ସୌକ୍ ଅଧାରୁ ଅଟକି ଯାଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ଲତିକା ଭାରତୀୟ ନୌସେନାରେ କ୍ୟାପ୍ଟେନ ଥିବା ନିଜ ପୁଅଙ୍କ ସହ ରହୁଥିଲେ । ପୁଅ ଡ୍ୟୁଟିରେ ଥିବା ବେଳେ ଲତିକା ଘରେ ଏକା ରହୁଥିଲେ । ଦୁଇ ବର୍ଷ ତଳେ ସେ ପ୍ରଥମେ ଛୋଟ ବ୍ୟାଗ୍ ତିଆରି କରିଥିଲେ । ପୁରୁଣା କପଡା, ସାଢୀ ଓ କୁର୍ତିରୁ ସେ ଏହାକୁ ତିଆରି କରୁଥିଲେ । ଏହାକୁ ଏଥ୍‌ନିକ୍ ପୋଷାକ ସହ ଆକ୍‌ସେସରିଜ୍ ଭାବେ ବ୍ୟବହାର କରାଯାଇପାରିବ । ପ୍ରଥମେ ଏଭଳି ବ୍ୟାଗ୍ ତିଆରି କରି ତାହାକୁ ଲତିକା ନିଜ ସମ୍ପର୍କୀୟ ଓ ବନ୍ଧୁଙ୍କୁ ଦେଉଥିଲେ । କିନ୍ତୁ ତାଙ୍କ ନାତି ଜୟ ଚକ୍ରବର୍ତୀ ଏହାକୁ ଅନ୍‌ଲାଇନ୍ ସାଇଟ୍‌ରେ ବିକ୍ରି କରିବା ପାଇଁ ପରାମର୍ଶ ଦେଇଥିଲେ । ଜୟଙ୍କ ସହାୟତାରେ ଲତିକା ଅନ୍‌ଲାଇନ୍‌ରେ ଏବେ ନିଜ ହାତ ତିଆରି ସାମଗ୍ରୀ ବିକ୍ରି କରି ଲୋକପ୍ରିୟ ହୋଇପାରିଛନ୍ତି । ନିଜ କଳାତ୍ମକତା ଓ କାମ କରିବାର ଇଚ୍ଛା ପାଇଁ ସେ ଆଜି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଲତିକାଙ୍କ ମତରେ, ସେ ନିଜ ଜୀବନକୁ ଅନୁଶାସିତ ଉପାୟରେ ବଂଚିଆସିଛନ୍ତି, ଯେଉଁ କାରଣରୁ ସେ ୯୦ ବର୍ଷ ବୟସରଙ୍କ ମଧ୍ୟ ସକ୍ରିୟ ଓ ସୁସ୍ଥ ଅଛନ୍ତି ।


Share It

Comments are closed.