୨୦ବର୍ଷରୁ କମ୍‌ ବିଶ୍ୱ ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପରେ ଚମକିଲେ ସାଇଲି, ଲଙ୍ଗ ଜମ୍ପରେ ହାତେଇଲେ ରୌପ୍ୟ

Share It

କେନିଆର ନାଇରୋବି ଠାରେ ଅନୁଷ୍ଠିତ ୨୦ବର୍ଷରୁ କମ୍‌ ବିଶ୍ୱ ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପ୍‌ ଭାରତ ପାଇଁ ସବୁଠୁ ସଫଳ ସାବ୍ୟସ୍ତ ହୋଇଛି। ଜୁନିୟର ବିଶ୍ୱଚାମ୍ପିଅନ୍‌ସିପ୍‌ର ଗୋଟିଏ ସଂସ୍କରଣରେ ପ୍ରଥମ ଥର ପାଇଁ ଭାରତକୁ ୩ଟି ପଦକ ମିଳିଛି । ପୂର୍ବରୁ ୪ଗୁଣା ୪୦୦ ମିଟର ମିକ୍ସଡ୍‌ ଟିମ୍‌ ରିଲେରେ ଭାରତୀୟ ଦଳ ଓ ୧୦,୦୦୦ ମିଟର ରେସ୍‌ ୱାକ୍‌ରେ ଅମିତ ଖତ୍ରୀ ପଦକ ହାସଲ କରିଥିଲେ । ମହିଳା ବର୍ଗ ଲଙ୍ଗଜମ୍ପ ଇଭେଣ୍ଟରେ ସାଇଲି ସିଂହ ରୌପ୍ୟ ପଦକ ଜିତି ଅନନ୍ୟ ସଫଳତା ଅର୍ଜନ କରିଛନ୍ତି ।

ସାଇଲି ୬.୫୯ ମିଟର ଦୂର ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଏହା ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ମାତ୍ର ୧ ସେଣ୍ଟି ମିଟର ପାଇଁ ସେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ । ସ୍ୱିଡେନ୍‌ର ମାଜା ଅସକଗ ୬.୬୦ ମିଟର ଜମ୍ପ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ୟୁକ୍ରେନ୍‌ର ମାରିଆ ହୋରିଏଲୋଭା ୬.୫୦ ମିଟର ଜମ୍ପ ସହ ବ୍ରୋଞ୍ଜ ପଦକ ଜିତିଥିଲେ ।

ପୂର୍ବରୁ ଶୁକ୍ରବାର ଅନୁଷ୍ଠିତ ଯୋଗ୍ୟତା ରାଉଣ୍ଡରେ ସାଇଲି ୬.୪୦ ମିଟର ଦୂର ଜମ୍ପ କରି ଶୀର୍ଷରେ ରହିଥିଲେ । ଫଳରେ ତାଙ୍କର ପଦକ ଜିତିବା ଏକ ପ୍ରକାର ନିଶ୍ଚିତ ଜଣାପଡୁଥିଲା ତାଙ୍କର ପ୍ରଥମ ଦୁଇଟି ଜମ୍ପ ନୈରାଶ୍ୟଜନକ ରହିଥିଲା । ଉଭୟ ଜମ୍ପ ୬.୩୪ ମିଟର ରହିଥିଲା । ହେଲେ ତୃତୀୟ ଜମ୍ପରେ ସେ ୬.୫୦ ମିଟର ଦୂର ଅତିକ୍ରମ କରିଥିଲେ ।

 

ସାଇଲି ବେଙ୍ଗାଲୁରୁ ଠାରେ ରୋବୋର୍ଟ ବବି ଜର୍ଜଙ୍କ ଠାରୁ ପ୍ରଶିକ୍ଷଣ ନେଉଥିଲେ । ରୋବୋର୍ଟଙ୍କ ପତ୍ନୀ ଅଞ୍ଜୁ ବବି ଜର୍ଜ ପୂର୍ବରୁ ୨୦୦୩ ବିଶ୍ୱ ଚାମ୍ପିଅନ୍‌ସିପ୍‌(ସିନିୟର)ରେ ଲଙ୍ଗ ଜମ୍ପ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ । ଜୁନିୟର ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ସାଇଲି ଭାରତର ପଦକ ଦାବିଦାର ରୂଗେ ଗଣା ହେଉଥିଲେ । ଜାତୀୟ ୟୁଥ୍‌ ରେକର୍ଡ(୬.୪୮ ମିଟର) ତାଙ୍କ ନାମରେ ରହିଥିଲା । ଗତ ଜୁନ୍‌ ମାସରେ ସେ ଅନ୍ତଃ ରାଜ୍ୟ ଚାମ୍ପିଅନ୍‌ସିପ୍‌ରେ ଭାଗ ନେଇଥିଲେ । ଏହା ପୂର୍ବରୁ କରୋନା ମହାମାରୀ ଯୋଗୁଁ ୨ବର୍ଷ ପର୍ଯ୍ୟନ୍ତ ସେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରି ନଥିଲେ ।

ଭାରତୀୟ ମହିଳା ରିଲେ ଦଳକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ପାୟଲ ଭୋରା, ସୁମି, ରଜିଥା କୁଞ୍ଜା ଓ ପ୍ରିୟା ମୋହନଙ୍କୁ ନେଇ ଗଠିତ ୪ଗୁଣା ୪୦୦ ମିଟର ରିଲେ ଦଳ ନିର୍ଦ୍ଧାରିତ ଦୂରତାକୁ ୩ମିନିଟ୍‌ ୪୦.୪୫ ସେକେଣ୍ଡରେ ଅତିକ୍ରମ କରିଥିଲେ । ନାଇଜେରିଆ ଦଳ ୩ମିନିଟ୍‌ ୩୧.୪୫ ସେକେଣ୍ଡରେ ରେସ୍‌ ଶେଷ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ଜାମାଇକା ଦଳ ରୌପ୍ୟ(୩ମିନିଟ୍‌ ୩୬.୫୭ସେକେଣ୍ଡ) ଓ ଇଟାଲୀ ଦଳ ବ୍ରୋଞ୍ଜ(୩ ମିନିଟ ୩୭.୧୮ ସେକେଣ୍ଡ) ପଦକ ହାସଲ କରିଥିଲା ।

ମହିଳା ବର୍ଗ ୫୦୦୦ ମିଟର ଦୌଡ ଇଭେଣ୍ଟରେ ଭାରତର ଅଙ୍କିତା ସପ୍ତମ ସ୍ଥାନରେ ରହିଥିଲେ । ସେ ନିର୍ଦ୍ଧାରିତ ଦୂରତାକୁ ୧୭ମିନିଟ୍‌ ୧୭.୬୮ ସେକେଣ୍ଡରେ ଅତିକ୍ରମ କରିଥିଲେ ।ପୁରୁଷ ବର୍ଗ ଟ୍ରିପଲ୍‌ ଜମ୍ପ ଇଭେଣ୍ଟରେ ଡୋନାଲ୍ଡ ମାକିମୈରାଜ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ସେ ୧୫.୮୨ ମିଟର ଜମ୍ପ କରି ୦.୦୩ ସେଣ୍ଟିମିଟର ପାଇଁ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ ।


Share It

Comments are closed.