ଜାଣନ୍ତୁ ନସ୍କୋରିଆ ଶୈବ ପୀଠ ର  ମାହାତ୍ମ୍ୟ,କାହିଁକି ୧୮୦୦ ଫୁଟ୍ ପାହାଡ଼ ଚଢ଼ିଲେ ମିଳେ ବାବାଙ୍କ ଦର୍ଶନ

Share It

ରାଇରଙ୍ଗପୁର,୧୬/୦୨: ଆଶା ଓ ବିଶ୍ୱାସର ପ୍ରତୀକ ହେଉଛନ୍ତି ବାବା ଭୋଳାନାଥ । ସାରା ଭାରତବର୍ଷରେ ମହାଦେବଙ୍କର ଅଗଣିତ ମନ୍ଦିର ରହିଥିଲେ ବି ମୟୂରଭଞ୍ଜରେ ଏମିତି ଏକ ପୀଠ ରହିଛି, ଯାହର ମହତ୍ତ୍ୱ ସବୁଠୁ ଅଲଗା । ମହାଦେବଙ୍କ ଏହି ପୀଠର ନାଁ ନସ୍କୋରିଆ ଶୈବ ପୀଠ । ଯାହା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀ ନିକଟସ୍ଥ ନସ୍କୋରିଆ ପାହାଡ ମୟୂରଭଞ୍ଜର କପିଳାସ ଭାବେ ସୁପରିଚିତ । ନସ୍କୋରିଆ ଶୈବ ପୀଠରେ ପହଞ୍ଚିବା ପାଇଁ ବିପଦପୂର୍ଣ୍ଣ ସଂକୀର୍ଣ୍ଣ ପ୍ରାକୃତିକ ଚଟାଣ ପଥଦେଇ ୧୮୦୦ ଫୁଟ ପାହାଡ଼ ଉପରକୁ ଚଢ଼ିବାକୁ ପଡେ । ଆଉ ପାହାଡ଼ର ଶୀର୍ଷରେ ଥିବା ପଥର ଗୁମ୍ଫାରେ ରହିଛି ବାବାଙ୍କ ପୀଠ । ଅନ୍ଧାର ସଂକୀର୍ଣ୍ଣ ପଥର ଗୁମ୍ଫାରେ ପଶି ବାବାଙ୍କୁ ଦର୍ଶନ କରନ୍ତି ଭକ୍ତ । ଏଠାରେ ଯିଏ ଯାହା ବି କାମନା କରେ ତାହା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଏଣୁ ନିଜ ପରିବାରର ତଥା ମନର ସମସ୍ତ ମନୋବାଞ୍ଛା ପୂରଣ କରିବା ପାଇଁ ଶିବରାତ୍ରି ଦିନ ଏଠାକୁ ଭକ୍ତମାନେ ଧାଇଁ ଆସନ୍ତି । ଏଠାକୁ ଆସୁଥିବା କୌଣସି ଭକ୍ତ କେବେ ବି ଖାଲି ହାତରେ ଫେରିନାହିଁ । ସମସ୍ତଙ୍କ ସବୁ ଇଚ୍ଛାକୁ ବାବା ଅବିଳମ୍ବେ ପୂରଣ କରିଥାନ୍ତି । ଏହି ପୀଠର ମାହାତ୍ମ୍ୟକୁ ବୁଝି ବହୁ ଦୂରଦୂରାନ୍ତରୁ ଲୋକମାନେ ଏଠାକୁ ଆସିଥାନ୍ତି ବାବାଙ୍କର ଟିକେ ସାନିଧ୍ୟ ପାଇଁ । ଏଥରକ ମହାଶିବରାତ୍ରିରେ ମଧ୍ୟ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା । ଶ୍ରଦ୍ଧାଳୁମାନେ ଅତି କଷ୍ଟରେ ପାହାଡ଼ ଚଢ଼ି ବାବାଙ୍କୁ ଦର୍ଶନ କରୁଛନ୍ତି । କେବଳ ରାଜ୍ୟ ଭିତରର ନୁହେଁ, ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଶ୍ରଦ୍ଧାଳୁମାନେ ମଧ୍ୟ ଏଠାକୁ ଛୁଟି ଆସିଥାନ୍ତି ବାବାଙ୍କର ଟିକେ ଆଶୀର୍ବାଦ ନେବା ପାଇଁ


Share It

Comments are closed.