ମହାରାଷ୍ଟ୍ରରେ କରୋନାକୁ ନେଇ ଚିନ୍ତାରେ ଉଦ୍ଧବ ସରକାର, ଲକଡାଉନ୍ ପାଇଁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

Share It

ମହାରାଷ୍ଟ୍ରରେ ହୁ ହୁ ହୋଇ ବଢୁଛି କରୋନା ମାମଲା । ଗତ ଦେଢ ମାସ ମଧ୍ୟରେ ରାଜ୍ୟରେ କୋଭିଡ ମାମଲା ସାତ ଗୁଣ ବୃଦ୍ଧି ପାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ଯଦି ଲୋକମାନେ ନୂତନ କରୋନା ପ୍ରତିବନ୍ଧକ ଚାହୁଁ ନାହାଁନ୍ତି, ତେବେ ସେମାନଙ୍କୁ ମାସ୍କ ପିନ୍ଧିବାକୁ ପଡିବ । ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ବଢୁଥିବାରୁ କୋଭିଡ୍ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । କୋଭିଡ ଟାସ୍କ ଫୋର୍ସର ବୈଠକରେ ଅଧ୍ୟକ୍ଷତା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଚେତାବନୀ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତ ବିଶେଷଜ୍ଞ ମାନେ ଭବିଷ୍ୟବାଣୀ କରିଥିଲେ ଯେ ଏହି ମାମଲା ଆଗକୁ ବଢିପାରେ । ତେଣୁ ରାଜ୍ୟ ୧୫ ଦିନ ଧରି ପରିସ୍ଥିତି ଉପରେ ନଜର ରଖିବ । ଯଦି ମାମଲାରେ ବୃଦ୍ଧି ଘଟେ ତେବେ ୧୫ ଦିନ ପରେ କିଛି ପ୍ରତିବନ୍ଧକ ଲାଗୁ ହୋଇପାରେ । “ଯଦି ଲୋକମାନେ ପ୍ରତିବନ୍ଧକ ଚାହୁଁ ନାହାଁନ୍ତି, ତେବେ ସେମାନେ ଗାଇଡ୍‌ଲାଇନ୍ ଅନୁସରଣ କରିବା ଉଚିତ୍ । ମାସ୍କ ପିନ୍ଧନ୍ତୁ, ଟୀକାକରଣ କରନ୍ତୁ, କୋଭିଡ୍ ଗାଇଡଲାଇନକୁ ଅନୁସରଣ କରନ୍ତୁ” ବୋଲି ଠାକରେ କହିଛନ୍ତି ।

ରାଜ୍ୟରେ କରୋନା ମାମଲାର ବୃଦ୍ଧି ନେଇ ଚିନ୍ତାବ୍ୟକ୍ତ କରି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ଯେ ଯଦି ମାମଲା ବୃଦ୍ଧି ଘଟେ ତେବେ ଲୋକଙ୍କ ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯିବା ଆବଶ୍ୟକ । ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପାଇଁ ରାଜ୍ୟ ସରକାର ନଜର ରଖିଛନ୍ତି ବୋଲି ସେ କହିଛନ୍ତି ।

ମହାରାଷ୍ଟ୍ରରେ କରୋନା ମାମଲା ଦେଢ ମାସ ମଧ୍ୟରେ ୭ ଗୁଣ ବୃଦ୍ଧି ପାଇଛି । ମେ ୧ ରେ ରାଜ୍ୟରେ ୬୯ ଟି ନୂତନ ମାମଲା ପଞ୍ଜିକୃତ ହୋଇଥିବାବେଳେ ମେ ୩୧ ରେ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୧୧ କୁ ବୃଦ୍ଧି ପାଇଛି । ଗତକାଲି (ଗୁରୁବାର) ମହାରାଷ୍ଟ୍ରରେ ୧୦୪୫ ନୂତନ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି ଏବଂ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୪୫୫୯ କୁ ବୃଦ୍ଧି ପାଇଛି ।


Share It

Comments are closed.