ସାମ୍ନାକୁ ଆସିଲା ଋଷର ଯୁଦ୍ଧ ଜାହାଜ ବୁଡ଼ିବା ବେଳର ଭିଡିଓ
ସାମ୍ନାକୁ ଆସିଲା ବ୍ଲାକ୍ ସିରେ ଋଷର ଯୁଦ୍ଧ ଜାହାଜ ମସ୍କୋଭା ବୁଡ଼ିବା ବେଳର ଭିଡିଓ। ମିଶାଇଲ୍ ମାଡ଼ରେ ସୋଭିଏତ୍ କାଳର ଏହି ଯୁଦ୍ଧ ଜାହାଜ ବୁଡ଼ିଯାଇଥିବା ୟୁକ୍ରେନ୍ ଦାବି କରିଥିବା ବେଳେ ଋଷ ଏହାକୁ ଖାରଜ କରିଛି। ଋଷ କହିଛି ଯେ, ଜାହାଜରେ ଥିବା ଗୋଳାବାରୁଦ ବିସ୍ଫୋରଣ ହୋଇ ନିଆଁ ଲାଗିଯିବା ଫଳରେ ଏହି ଯୁଦ୍ଧ ଜାହାଜ ବୁଡ଼ିଯାଇଛି। ମସ୍କୋଭାରେ ନିଆଁ ଲାଗିବା ବେଳେ ଜାହାଜରେ ୫୦୦ ଜଣିଆ ଚାଳକ ଦଳ ଥିଲେ। ତେବେ ମସ୍କୋଭା ବ୍ଲାକ୍ ସିରେ ବୁଡ଼ିବା ପୂର୍ବରୁ ଜାହାଜରେ ଥିବା ସମସ୍ତ ଲୋକଙ୍କୁ ସଫଳତାପୂର୍ବକ ଉଦ୍ଧାର କରାଯାଇଥିବା ଋଷ ସରକାର କହିଛନ୍ତି। କିନ୍ତୁ ୟୁକ୍ରେନ୍ ଦାବି କରିଛି ଯେ, ଜାହାଜରେ ଥିବା ବହୁ ଲୋକ ପ୍ରାଣ ହରାଇଛନ୍ତି।
ଏନେଇ ବ୍ରିଟେନ୍ କହିଛି ଯେ, ବ୍ଲାକ୍ ସିରେ ମସ୍କୋଭା ବୁଡ଼ିବା ପରେ ଋଷର ନୌସେନାର କ୍ଷମତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ୟୁକ୍ରେନ୍-ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଅନୁମାନ କରାଯାଉଛି। ସେପଟେ ଅମେରିକାର ରକ୍ଷା ମନ୍ତ୍ରାଳୟ ମଧ୍ୟ କହିଛି ଯେ, ବ୍ଳାକ ସି’ରେ ବୁଡ଼ିଥିବା ଋଷର ଯୁଦ୍ଧ ଜାହାଜ ଉପରକୁ ଦୁଇଟି ୟୁକ୍ରେନୀୟ ମିଶାଇଲ ଆକ୍ରମଣ ହୋଇଥିଲା, ଯାହା ଫଳରେ ଜାହାଜଟି ବୁଡ଼ି ଯାଇଥିଲା।
Comments are closed.