ବିରାଟ ବିଜୟ ସହ ନୂଆ ରେକର୍ଡର ଅଧିକାରୀ ହେଲେ କୋହଲି
ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ରେ ଟିମ୍ ଇଣ୍ଡିଆର ଦମଦାର ବିଜୟ। ଯୁବ ବ୍ୟାଟସମ୍ୟାନ୍ ଇଶାନ୍ କିଷାନ୍ ଓ ବିରାଟଙ୍କ ଅପରାଜିତ ଶାନଦାର ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ଦ୍ବିତୀୟ ଟି-୨୦ରେ ବାଜି ମାରିଛି ବିରାଟ ବାହିନୀ। ୧୬୫ ରନର ବିଜୟ ଲକ୍ଷ୍ୟକୁ ଭାରତୀୟ ଦଳ ୧୭.୫ ଓଭର ରେ ୩ ଓ୍ବିକେଟ ହରାଇ ହାସଲ କରିଛି।
ଦମଦାର ବିଜୟ ସହ ଟି-୨୦ କ୍ରିକେଟରେ ବିରାଟ କରିଛନ୍ତି ବଡ଼ ରେକର୍ଡ। ବିରାଟ ବିଶ୍ବର ପ୍ରଥମ ପୁରୁଷ କ୍ରିକେଟରେ ଭାବେ ଇଣ୍ଟରନ୍ୟାଶନାଲ କ୍ରିକେଟରେ ୩୦୦୦ ହଜାର ରନ୍ କରିଛନ୍ତି। ବିରାଟଙ୍କ ପୂର୍ବରୁ ମାତ୍ର ଦୁଇ ଜଣ ଖେଳାଳି ଟି-୨୦କ୍ରିକେଟରେ ୩୦୦୦ ରନ୍ ପୂରଣ କରିଛନ୍ତି। ସେ ପୁଣି ଦୁଇ ଜଣ ମହିଳା କ୍ରିକେଟର। ନ୍ୟୁଜିଲାଣ୍ଡର ସୁଜି ବଟସ୍ ଯିଏକି ୩୩୦୧ ରନ୍ କରିଛନ୍ତି। ତାଙ୍କ ପଛକୁ ଓ୍ବେଷ୍ଟଇଣ୍ଡିଜର ଷ୍ଟାଫିନା ଟେଲର ୩୦୬୨ରନ୍ କରିଛନ୍ତି।
ଟି-୨୦ ସିରିଜ ଆରମ୍ଭରୁ ଏହି ମାଇଲଖୁଣ୍ଟ ଛୁଇଁବାକୁ ବିରାଟଙ୍କୁ ଆଉ ୭୨ ରନର ଆବଶ୍ୟକତା ଥିଲା। ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଶୂନ ରନ୍ କରି ଆଉଟ୍ ହୋଇଥିବା ବିରାଟ ଦ୍ବିତୀୟ ମ୍ୟାଚରେ ଅପରାଜିତ ୭୩ରନର ଇନିଂସ୍ ଖେଳିଛନ୍ତି। ଯାହାଫଳରେ ବିଶ୍ବର ପ୍ରଥମ ପୁରୁଷ ଖେଳାଳି ଭାବେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ତାଙ୍କ ପଛକୁ ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟସମ୍ୟାନ୍ ମାର୍ଟିନ୍ ଗୁପ୍ଟିଲ ଅଛନ୍ତି। ଯିଏ ୯୯ଟି ମ୍ୟାଚ୍ ଖେଳି ୨୮୩୯ ରନ୍ କରିଛନ୍ତି। ଏହାପଛକୁ ୧୦୯ ମ୍ୟାଚ୍ ଖେଳି ୨୭୭୩ ରନ୍ କରିଛନ୍ତି ରୋହିତ ଶର୍ମା।
ଏଥିସହିତ ବିରାଟ ଟିକେ ପୂର୍ବରୁ ଆଉ ରେକର୍ଡର ଅଧିକାରୀ ହୋଇଥିଲେ। ଭାରତୀୟ ଦଳର ପ୍ରଥମ ଅଧିନାୟକ ଭାବେ ବିରାଟ କୋହଲି କ୍ରିକେଟର ତିନୋଟି(ଟେଷ୍ଟ, ଦିନିକିଆ ଓ ଟି-୨୦) ଫର୍ମାଟରେ ୧୨ ହଜାର ରନ୍ ପୂରଣ କରିଛନ୍ତି। ଏଥିସହିତ ବିଶ୍ବ କ୍ରିକେଟରେ ତୃତୀୟ ଅଧିନାୟକ ଭାବେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ବିରାଟ।
Comments are closed.