୬୦ ବର୍ଷୀୟ ଦିନ ମଜୁରିଆ ହେଲେ ମଡେଲ

Share It

ବଞ୍ଚିତ ଓ ଦଳିତଙ୍କ ଜୀବନ ବଦଳାଇବାରେ ସୋସିଆଲ ମିଡିଆର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି । ସମଗ୍ର ବିଶ୍ୱରୁ ଏ ପ୍ରକାର ଅନେକ କାହାଣୀ ଶୁଶିବାକୁ ମିଳୁଛି । ଏହି କ୍ରମରେ କେରଳର ଜଣେ ବାସହରାଙ୍କ ପରିବର୍ତ୍ତିତ ରୂପ ଏବେ ଚର୍ଚ୍ଚାର ବିଷୟ ହୋଇଛି । କୋଝିକୋଡ୍‌ର ୬୦ ବର୍ଷୀୟ ମାମ୍ମିକା ଜଣେ ଦିନ ମଜୁରିଆ ଥିଲେ । ଅସନା ଲୁଙ୍ଗି ଓ ସାର୍ଟ ପିନ୍ଧିଥିବା ଏହି ଦିନ ମଜୁରିଆ କିନ୍ତୁ ଜଣେ ଫଟୋଗ୍ରାଫରଙ୍କ ପାଇଁ ମଡେଲ୍‌ ଲୁକ୍‌ ପାଇଛନ୍ତି, ଯାହାକୁ ନେଇ ସେ ଖୁବ୍‌ ଆନନ୍ଦିତ ଅଛନ୍ତି । ଏବେ ଏକ ସ୍ଥାନୀୟ ଫିଲ୍ମ ପାଇଁ ସେ ଫଟୋସୁଟ୍‌ କରାଇଛନ୍ତି । ଫଟୋସୁଟ୍‌ରେ ଧୂସର ରଙ୍ଗର ଡ୍ରେସ୍‌ ସହିତ ମ୍ୟାଚ୍‌ କରୁଥିବା ଏକ ଟାଇ ସେ ପିନ୍ଧିଛନ୍ତି ।

ଫଟୋସୁଟ୍‌ ପାଇଁ ମାମ୍ମିକା ଏକ ଆଇପ୍ୟାଡ୍‌ ସହିତ ପୋଜ୍‌ ଦେଇଛନ୍ତି । ଏକ ଗଣମାଧ୍ୟମର ସୂଚନା ଅନୁସାରେ, ଫଟୋଗ୍ରାଫର ଶରୀକ ଭାୟାଲିଲ୍‌ ମାମ୍ମିକାଙ୍କୁ ପ୍ରଥମେ ରାସ୍ତାକଡ଼ରେ ଦେଖିଥିଲେ । ଶରୀକ ତାଙ୍କ ଫଟୋ ଅନ୍‌ଲାଇନ୍‌ ପୋଷ୍ଟ କରିବା ପରେ ୟୁଜର୍‌ କହୁଛନ୍ତି, ଅଭିନେତା ବିନାୟକନ୍‌ଙ୍କ ସହ ମାମ୍ମିକାଙ୍କ ଲୁକ୍‌ର ସାମଞ୍ଜସ୍ୟ ରହିଛି । ମାମ୍ମିକାଙ୍କ ମେକଅପ୍‌ କରିଛନ୍ତି ମଜନାସ । ମାମ୍ମିକାଙ୍କ ବିଷୟରେ ଏହି କେବଳ ଗୋଟିଏ ଭଲ ଖବର ନୁହେଁ, ତାଙ୍କର ଏକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ ମଧ୍ୟ ଅଛି, ଯାହାର ୨୦୦ରୁ ଅଧିକ ଫଲୋଅର୍ସ ହେଲେଣି । ନିକଟରେ ବ୍ରାଜିଲର ଜଣେ ବାସହରାଙ୍କ ଫଟୋ ଖୁବ୍‌ ଭାଇରାଲ ହେଉଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ, ଏକ ସେଲୁନ୍‌ ତାଙ୍କ ଲୁକ୍‌ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । କେଶ କଟାଯିବା ପରେ ସେ ମଡେଲ ହୋଇଯାଇଛନ୍ତି ।

ଜୋଆଓ କୋଏଲୋ ଗୁଇମାରେସଙ୍କ ଫଟୋ ଅନ୍‌ଲାଇନ୍‌ ଖୁବ୍‌ ପ୍ରସାର ହେବା ପୂର୍ବରୁ ପରିବାର ତାଙ୍କୁ ମୃତ ବୋଲି ଭାବି ନେଇଥିଲା । ଗତ ୧୦ ବର୍ଷ ଧରି ସେ ରାସ୍ତାରେ ଜୀବନ ବିତାଇଥିଲେ । ଏହି ସମୟରେ ବଞ୍ଚିବା ପାଇଁ ସେ ଆବର୍ଜନା ସଂଗ୍ରହ କରୁଥିଲେ । ଜଣେ ବ୍ୟବସାୟୀଙ୍କୁ ଭେଟିବା ପରେ ତାଙ୍କ ଦାଢ଼ି-ନିଶ ଓ କେଶ କଟାଗଲା । ଏହା ତାଙ୍କୁ ସୋସିଆଲ ମିଡିଆ ସେନ୍‌ସେସନ୍‌ କରିଦେଲା । ଗୁଇମାରେସଙ୍କ ଦାଢ଼ି, କେଶ ଓ ନିଶକୁ ନୂଆ ରୂପ ଦେବା ପରେ ବ୍ୟବସାୟୀ ଜଣକ ତାଙ୍କୁ ୩ ଉପହାର ଯଥା- ହଳେ ଟ୍ରାଉଜର, ଗୋଟିଏ ଜ୍ୟାକେଟ୍‌ ଓ କିଛି ନୂଆ ଜୋତା ଦେଲେ ।


Share It

Comments are closed.