ଟି-୨୦ ବିଶ୍ୱକପକୁ ନେଇ କିଛି ଏପରି ଗୁରୁତ୍ୱପୂର୍ଣ୍ଣ କଥା କହିଲେ ‘କେଭିନ ରୋବର୍ଟ୍ସ’

Share It

ଅଷ୍ଟ୍ରେଲିଆରେ ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ କ୍ରୀଡ଼ାସୂଚୀ ରହିଛି । କିନ୍ତୁ କରୋନା ବା କୋଭିଡ୍‌-୧୯ ମହାମାରୀ ଯୋଗୁ ଟୁର୍ଣ୍ଣାମେଣ୍ଟକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଆଇସିସି ଏବଂ ଆୟୋଜକ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ମଧ୍ୟରେ ନିୟମିତ ଆଲୋଚନା ଜାରି ରହିଛି । ଆସନ୍ତା ଜୁନ୍‌ ୧୦ତାରିଖରେ ଆଇସିସି ବୋର୍ଡ଼ ବୈଠକ ବସି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । କିନ୍ତୁ ଏହା ପୂର୍ବରୁ ସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ୍‌ ରୋବର୍ଟ୍ସ ବିଶ୍ୱକପ୍‌ ଆୟୋଜନକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ନିର୍ଦ୍ଧାରିତ ସୂଚୀରେ ବିଶ୍ୱକପ୍‌ ଆୟୋଜନ ଆଶଙ୍କାରେ ଥିବା ରୋବର୍ଟ୍ସ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି, ଆମେ ସମସ୍ତେ ନିର୍ଦ୍ଧାରିତ ସୂଚୀରେ ବିଶ୍ୱକପ୍‌ ଆୟୋଜନ ହେବା ନେଇ ଆଶାବାଦୀ ରହିଛୁ । କିନ୍ତୁ ଏହା ବିପଦପୂର୍ଣ୍ଣ ରହିଛି । ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ସମସ୍ତ ପ୍ରକାର ଯୋଜନା ଚଳାଇଛି । ଯଦି ଏବର୍ଷ ବିଶ୍ୱକପ୍‌କୁ ସ୍ଥଗିତ ରଖାଯାଏ ତା’ହେଲେ ୨୦୨୧ ଫେବ୍ରୁଆରୀ-ମାର୍ଚ୍ଚରେ ଆୟୋଜନ କରାଯାଇପାରେ । ଆଇସିସି ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଆସନ୍ତା ବର୍ଷ ଭାରତରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ କ୍ରୀଡ଼ାସୂଚୀ ରହିଛି । ତେଣୁ ଆଇସିସି ଏବର୍ଷ ବିଶ୍ୱକପ୍‌ ଆୟୋଜନ ଶେଷ କରିବାକୁ ଚାହିଁବ ।

କରୋନା ଭାଇରସ ସଂକ୍ରମଣର ଭୟ ରହିଥିବାରୁ ବିନା ଦର୍ଶକରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ବିଚାର କରାଯାଉଥିବା ରୋବର୍ଟ୍ସ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏବେ ଯାତ୍ରା କଟକଣା ଜାରି ରହିଛି । ଅକ୍ଟୋବର ମାସ ବେଳକୁ ସ୍ଥିତି କ’ଣ ଥିବା କହିବା ମୁସ୍କିଲ । ବିଶ୍ୱକପ୍‌ ବାତିଲ ହେଲେ ସିଏର ପାଖାପାଖି ୨୦ମିଲିୟନ ଅଷ୍ଟ୍ରେଲୀୟ ଡଲାର କ୍ଷତି ହେବ । ବିନା ଦଶର୍କରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଲେ ୮ କୋଟି ଅଷ୍ଟ୍ରେଲୀୟ ଡଲାର କ୍ଷତି ହେବ । ଅନ୍ୟ ପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ ସିଜନ ବାତିଲ ହେଲେ ସିଏ ପାଖାପାଖି ୮୦ ମିଲିୟନ ଅଷ୍ଟ୍ରେଲୀୟ ଡଲାର କ୍ଷତି ସହିବ ବୋଲି ରୋବର୍ଟ୍ସ ପ୍ରକାଶ କରିଛନ୍ତି ।


Share It

Comments are closed.