ବିଜେପିରୁ ଅଲଗା ହୋଇ ନୂଆ ସଂଗଠନ ଗଢି ପାରନ୍ତି ବସୁନ୍ଧରା

Share It

ରାଜସ୍ଥାନ ରାଜନୀତିର ଗତି କୁଆଡେ। ଏହା କହିବା ବହୁତ ମୁସ୍କିଲ। କାରଣ ପଞ୍ଜାବ ପରି ରାଜସ୍ଥାନରେ ଘଡିକେ ଘୋଡା ଛୁଟୁଛି। ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ରାଜ୍ୟରେ କରିଛନ୍ତି ଶକ୍ତି ପ୍ରଦର୍ଶନ। ଏଥିରୁ ରାଜେଙ୍କ ବିଜେପି ସମାନ୍ତରାଳ ପାର୍ଟି ଗଠନ କରିବାର ସଙ୍କେତ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଛଅ ଜିଲ୍ଲାରେ ନିଜର ଚାରି ଦିବସୀୟ ‘ଧାର୍ମିକ ଯାତ୍ରା’ ସମାପ୍ତ କରିବା ପରେ ରାଜସ୍ଥାନ ବିଜେପିରେ ଚହଳ ପଡି ଯାଇଛି। ତେବେ ରାଜ୍ୟ ବିଜେପି ସଭାପତି ସେମିତି କିଛି ହେଉନଥିବା କହି ପ୍ରଶ୍ନକୁ ଏଡାଇ ଯାଇଛନ୍ତି।

ରାଜେ ଗତ ସପ୍ତାହରେ ଏକ ‘ଧାର୍ମିକ ଯାତ୍ରା’ ଆରମ୍ଭ କରିଥିଲେ। ଏଥିରେ ସେ ରାଜସ୍ଥାନର ସମସ୍ତ ମନ୍ଦିରରେ ପୂଜା କରିବା ସହ କୋଭିଡ୍-୧୯ରେ ପ୍ରାଣ ହରାଇଥିବା ବିଜେପି ନେତାଙ୍କ ପରିଜନଙ୍କୁ ଭେଟିଛନ୍ତି। ସେ ଉଦୟପୁର, ବାଂଶବାଡା, ଭିଲଓ୍ଵାଡା, ଆଜମେର, ପାଲି ଏବଂ ଚିତୌଗଡ ଜିଲ୍ଲାରେ ଯାତ୍ରା କରିଛନ୍ତି। ଏହି ସମୟରେ ଜନସଭାର ଆୟୋଜନ ମଧ୍ୟ ହୋଇଥିଲା। ବସୁନ୍ଧରା ଏହି ଯାତ୍ରା ଉପରେ ରାଜ୍ୟ ବିଜେପି କେନ୍ଦ୍ରୀୟ ନେତୃତ୍ଵକୁ ଏକ ରିପୋର୍ଟ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯାତ୍ରାରେ ଯୋଗ ଦେଇଥିବା ବିଜେପି ବିଧାୟକ, ସାଂସଦ ଏବଂ ପୂର୍ବତନ ବିଧାୟକଙ୍କ ତାଲିକା ମଧ୍ୟ ପଠାଯିବ। ପାର୍ଟିର ପତାକାର ବ୍ୟବହାର, ବିଭିନ୍ନ ବୈଠକ ସମୟରେ ପ୍ରଦର୍ଶିତ ପୋଷ୍ଟର ଏବଂ ନାରାବାଜିର ମଧ୍ୟ ସୂଚନା ଦିଆଯିବ। ରାଜ୍ୟ ନେତୃତ୍ଵଙ୍କ ସବୁଠୁ ବଡ ଚିନ୍ତାର ବିଷୟ ରାଜେଙ୍କ ଏହି ଯାତ୍ରାରେ ଅନେକ ବିଧାୟକ ଏବଂ ସାଂସଦ ସାମିଲ୍ ହେବା ଏବଂ ଏଥିରେ ନେତାଙ୍କ ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିବା।

କିନ୍ତୁ ବସୁନ୍ଧରା ରାଜେ କହିଛନ୍ତି, ସେ ଏହି ସବୁ ଅଞ୍ଚଳର ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଇଥିଲି ଏବଂ ବିଜେପି ନେତାଙ୍କ ଶୋକ ସନ୍ତପ ପରିଜନ ପ୍ରତି ସମବେଦନା ବ୍ୟକ୍ତ କରିଛି। ବିଜେପି ନେତା ଅଶୋକ ସିଙ୍ଘଭି ମଧ୍ୟ କହିଛନ୍ତି, ଏହା କୌଣସି ରାଜନୈତିକ ଯାତ୍ରା ନଥିଲା। ରାଜେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ବୋହୂ ଅସୁସ୍ଥ ଥିବା କାରଣରୁ ସେ ରାଜ୍ୟର ବିଜେପି ଶୋକ ସନ୍ତପ ପରିବାରଙ୍କୁ ଭେଟିନଥିଲେ। ଏବେ କରୋନା ପ୍ରକୋପ କମିବାରୁ ମନ୍ଦିର ଦର୍ଶନ ସହ ନେତାଙ୍କ ପ୍ରିୟଜନଙ୍କୁ ସମ୍ମାନ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।

ରାଜେ କହିଛନ୍ତି, ଯଦି ରାଜ୍ୟ ନେତୃତ୍ଵ ରିପୋର୍ଟ ପଠାଇବାକୁ ଚାହାନ୍ତି ତେବେ ପଠାଇ ପାରିବେ। ହେଲେ ଏଥିରେ ସେମାନଙ୍କୁ କିଛି ମିଳିବାର ନାହିଁ। ଅନେକ ସମୟରେ ରାଜେ ଏବଂ ବିଜେପି ମଧ୍ୟରେ ଅସନ୍ତୋଷ ଥିବା ପ୍ରତୀତମାନ ହୋଇଛି। ବେଳେ ବେଳେ ବିଜେପିର ପୋଷ୍ଟରରେ ବସୁନ୍ଧରା ରାଜେ ଗାଏବ ଥାଆନ୍ତି। ବିଶେଷ କରି ନିକଟ ଦିନରେ ରାଜ୍ୟ ପାର୍ଟି କାର୍ଯ୍ୟାଳୟରେ ଲାଗିଥିବା ପୋଷ୍ଟରରେ ରାଜେଙ୍କ ପୋଷ୍ଟର ନଥିଲା। ଏହା ପରେ ରାଜେ ଏବଂ ବିଜେପି ମଧ୍ୟରେ ସବୁ କିଛି ଠିକ୍ ନଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ଏବେ ରାଜେଙ୍କ ମନ୍ଦିର ଦର୍ଶନ ହେଉ କି ଜନସଭା, ସେଥିରେ ନେତାଙ୍କ ଆଗମନ ଛୁଟିବା ରାଜ୍ୟ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି।


Share It

Comments are closed.