ଉତ୍କଳ ଦିବସ:ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବର୍ଷ ପୂର୍ତ୍ତି

Share It

ଭୁବନେଶ୍ବର,୦୧/୦୪: ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୯୦ ବର୍ଷ ପୂର୍ତ୍ତି। ଆଜିର ଦିନରେ ୧୯୩୬ ମସିହାରେ ଭାଷା ଭିତ୍ତିରେ ଗଠନ ହୋଇଥିଲା ଓଡ଼ିଶା। ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ଦିନ । ଏହି ଦିନ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଜନ୍ମ ନେଇଥିଲା । ଆଜିର ଦିନରେ ରାଜ୍ୟର ମାନ୍ୟତା ପାଇଥିଲା ଉତ୍କଳ । ଏହି ସ୍ମୃତିରେ ପ୍ରତିବର୍ଷ ଏପ୍ରିଲ୍ ମାସ ୧ ତାରିଖ ଦିନ ଉତ୍କଳ ଦିବସ ପାଳନ କରାଯାଇଥାଏ ।

ବିହାର ଅଧୀନରେ ଥିବା ଏହି ପ୍ରଦେଶକୁ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ସହିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସାର୍ ବାସୁଦେବ ସୁଧଳଦେବ, ରାଧାନାଥ ରାୟ, ଭୂବନାନନ୍ଦ ଦାସ, ଏ.ପି ପାତ୍ର ଏବଂ ଆହୁରି ଅନେକ ବୀର ପୁରୁଷ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ତେବେ ଏହି ରାଜ୍ୟ ହେଉଛି ପ୍ରଥମ ରାଜ୍ୟ ଯାହା ନିଜ ଭାଷା ପାଇଁ ପରିଚିତ ହୋଇଥିଲା । ନୂତନ ରାଜ୍ୟ ଭାବେ ଗଢି ଉଠିଥିବା ଓଡିଶା ୬ଟି ଜିଲ୍ଲାକୁ ନେଇ ଗଠନ କରାଯାଇଥିଲା । ଏହି ଜିଲ୍ଲାଗୁଡିକ ହେଉଛି କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଏବଂ ଗଞ୍ଜାମ । ତେବେ ରାଜ୍ୟର ରାଜଧାନୀ ଥିଲା କଟକ ।

ତେବେ ଓଡିଶାର ସ୍ୱତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ଏହି ଦିନକୁ ପାଳନ କରିଥାନ୍ତି କୋଟି କୋଟି ଓଡିଆ । ଅନେକ ସ୍ଥାନରେ ଏହାକୁ ପାଳନ କରିବା ପାଇଁ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇତାଏ । ଓଡିଆ ମାଟିର ଗର୍ବ ଏବଂ ଗୌରବ ବଢାଇବା ଭଳି ଅନେକ ଖେଳ ଏବଂ ଖାଦ୍ୟ ପ୍ରସ୍ତୁତ କରି ‘ଉତ୍କଳ ଦିବସ’ ପାଳନ କରିଥାନ୍ତି ଓଡିଶା ବାସୀ ।

ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆଜି ରାଜ୍ୟବାସୀ ବେଶ୍ ଧୁମଧାମରେ ପାଳନ କରିବେ ଓଡ଼ିଶା ଦିବସ । ଉତ୍କଳ ଦିବସ ପାଇଁ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଆଜି ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯିବ । ଓଡ଼ିଆ ଅସ୍ମିତାକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାର ୧୪ ଦିନ ବ୍ୟାପୀ ଏହି ଦିବସ ପାଳନ କରିବେ ।


Share It

Comments are closed.