ବିଶ୍ୱ ବଜାର ଉପରେ ଯୁଦ୍ଧର ପ୍ରଭାବ: ହୋରମୁଜ୍ ପ୍ରଣାଳୀରେ ଆକ୍ରମଣ ପରେ ହୁ ହୁ ହୋଇ ବଢ଼ୁଛି ତେଲ ଦର

Share It

ତେହେରାନ: ଇରାନ ଏବଂ ଆମେରିକା-ଇସ୍ରାଏଲ୍ ମେଣ୍ଟ ମଧ୍ୟରେ ସଂଘର୍ଷ ତୀବ୍ର ହେବାରେ ଲାଗିଛି। ଲଗାତାର ଷଷ୍ଠ ଦିନ ପାଇଁ ସିଧାସଳଖ ସାମରିକ ମୁହାଁମୁହିଁ ପରିସ୍ଥିତି ଜାରି ରହିଥିବା ବେଳେ ଏହା ଶାନ୍ତ ହେବାର କୌଣସି ସମ୍ଭାବନା ଦେଖାଯାଉନାହିଁ। ଗତ ପାଞ୍ଚ ଦିନ ମଧ୍ୟରେ ଇରାନ ଉପରେ ଆମେରିକା-ଇସ୍ରାଏଲର ଆକ୍ରମଣ ଯୋଗୁଁ ମୃତ୍ୟୁସଂଖ୍ୟା ୧,୦୦୦ ପାର୍ କରିଛି। ସେହିପରି ଲେବାନନରେ ପ୍ରାୟ ୬୦ ଜଣ, ଇସ୍ରାଏଲରେ ପ୍ରାୟ ଏକ ଡଜନ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆମେରିକୀୟ ସୈନିକ ମଧ୍ୟ ପ୍ରାଣ ହରାଇଛନ୍ତି। ଇସ୍ରାଏଲ୍ ଇରାନର ଟାର୍ଗେଟ୍ ଉପରେ ନୂଆ ଆକ୍ରମଣ କରିବା ସହ ଲେବାନନ୍‌ର ବେରୁତ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ହିଜବୁଲ୍ଲା ଘାଟି ଉପରେ ପୁଣି ଏୟାର ଷ୍ଟ୍ରାଇକ୍ (ବିମାନ ଆକ୍ରମଣ) କରିଛି। ଅନ୍ୟପକ୍ଷରେ, ଉପସାଗରୀୟ (ଗଲ୍ଫ) ଅଞ୍ଚଳରେ ଥିବା ଇସ୍ରାଏଲ୍ ଏବଂ ଆମେରିକାର ସ୍ୱାର୍ଥ ଉପରେ ଇରାନ ମଧ୍ୟ ପାଲଟା ଆକ୍ରମଣ କରିଛି।

ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗଚି ଜଣେ ଇରାକୀ-କୁର୍ଦ୍ଦିସ୍ ରାଜନୈତିକ ନେତାଙ୍କ ସହ ଆଲୋଚନା ବେଳେ ଇରାନ-ଇରାକ ସୀମାରେ “ଆତଙ୍କବାଦୀ ଗତିବିଧି” ନେଇ ଚେତାବନୀ ଦେଇଛନ୍ତି। ଏହି ସମୟ ମଧ୍ୟରେ ସମୁଦ୍ରରେ ମଧ୍ୟ ଯୁଦ୍ଧ ବ୍ୟାପିଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ କହିଛନ୍ତି ଯେ ଆନ୍ତର୍ଜାତୀୟ ଜଳସୀମାରେ ଏକ ଆମେରିକୀୟ ବୁଡ଼ାଜାହାଜ ଇରାନର ଏକ ଯୁଦ୍ଧ ଜାହାଜକୁ ବୁଡ଼ାଇ ଦେଇଛି। ଇସ୍ରାଏଲ୍ ଲେବାନନରେ ଇରାନ ସମର୍ଥିତ ହିଜବୁଲ୍ଲା ଉପରେ ଆକ୍ରମଣ କରିଥିବା ବେଳେ ଇରାନ ବାହାରିନ୍, କୁଏତ୍ ଏବଂ ଇସ୍ରାଏଲ୍‌କୁ ଟାର୍ଗେଟ କରିଛି। ତୁର୍କୀର ଆକାଶମାର୍ଗରେ ପ୍ରବେଶ କରିବା ପୂର୍ବରୁ ନାଟୋ (NATO) ର ପ୍ରତିରକ୍ଷା ବ୍ୟବସ୍ଥା ଇରାନର ଏକ ବାଲିଷ୍ଟିକ୍ ମିସାଇଲ୍‌କୁ ଅଟକାଇ ଦେଇଛି ବୋଲି ତୁର୍କୀ କହିଛି।

ଏହି ବଢ଼ୁଥିବା ହିଂସା ଯୋଗୁଁ ବିଶ୍ୱ ବଜାର ମଧ୍ୟ ପ୍ରଭାବିତ ହୋଇଛି। ବିଶ୍ୱସ୍ତରୀୟ ଶକ୍ତି ଯୋଗାଣର ଏକ ପ୍ରମୁଖ ରାସ୍ତା, ହୋରମୁଜ୍ ପ୍ରଣାଳୀ ଦେଇ ଗମନାଗମନ ବାଧାପ୍ରାପ୍ତ ହେବା ପରେ ତେଲ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଶକ୍ତି (ଇନ୍ଧନ) ମୂଲ୍ୟ ବୃଦ୍ଧି ବିଶ୍ୱ ଅର୍ଥନୀତିକୁ ମନ୍ଥର କରିଦେବାର ଆଶଙ୍କାରେ ସାରା ବିଶ୍ୱର ସେୟାର ବଜାର ଖସିବାରେ ଲାଗିଛି। ତେବେ ବୁଧବାର ବଜାର ଖୋଲିବା ବେଳକୁ ଆମେରିକାର ସେୟାର ବଜାର ତୁଳନାତ୍ମକ ଭାବେ ସ୍ଥିର ରହିଥିବା ଦେଖାଯାଇଛି।


Share It

Comments are closed.