ପ୍ରବାସୀ ଭାରତୀୟଙ୍କୁ ହାତଗୋଡ଼ ବାନ୍ଧି ବିଦାକଲେ ଟ୍ରମ୍ପ

Share It

ନୂଆଦିଲ୍ଲୀ : ହାତରେ କଡ଼ି, ଗୋଡ଼ରେ ବେଡ଼ି। ଏଭଳି ଢଙ୍ଗରେ ଆମେରିକାର ସାମରିକ ବିମାନ ୧୦୪ ଜଣ ପ୍ରବାସୀ ଭାରତୀୟଙ୍କୁ ଆଣି ଗତକାଲି ଅମୃତସରରେ ଛାଡ଼ିଦେଇଛି। ସେମାନଙ୍କର ଦୋଷ ଥିଲା ଯେ ବେଆଇନ ଭାବେ ସେମାନେ ଆମେରିକା ଭିତରେ ପଶିଥିଲେ। ବିମାନଘାଟୀରେ ଅବତରଣ କରିବା ପରେ ସେମାନଙ୍କ ହାତରୁ କଡ଼ି ଏବଂ ଗୋଡ଼ରୁ ବେଡ଼ି କଢ଼ାଯାଇଥିଲା। ଏହି ଖବରକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରବାସୀ ଭାରତୀୟଙ୍କ ପ୍ରତି ଟ୍ରମ୍ପ ପ୍ରଶାସନର ଏଭଳି ଅମାନବୀୟ ବ୍ୟବହାରକୁ ନେଇ ଆଜି ସଂସଦରେ କମ୍ପନ ସୃଷ୍ଟି ହୋଇଛି। ବିରୋଧୀ ଦଳର ସଭ୍ୟମାନେ ସମସ୍ତ କାର୍ଯ୍ୟ ବନ୍ଦ କରି ଏହା ଉପରେ ଆଲୋଚନା ଦାବି କରିବାରୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ତେବେ ଏହି ମାମଲାରେ ଭାରତ ସରକାର ହାତ ଟେକିଦେଇଛନ୍ତି। କହିଛନ୍ତି ଯେ ଆମେରିକା ତା’ର ନିୟମ ଅନୁସାରେ କାମ କରୁଛି। ଭାରତ ସରକାର କିଛି କରିପାରିବେ ନାହିଁ।

ଗତକାଲି ଆମେରିକାର ସାମରିକ ବିମାନ ବେଆଇନ ଘୋଷିତ ୧୦୪ ପ୍ରବାସୀ ଭାରତୀୟଙ୍କୁ ଆଣି ଦିଲ୍ଲୀ ପରିବର୍ତ୍ତେ ପଞ୍ଜାବର ଅମୃତସର ବିମାନଘାଟୀରେ ଅବତରଣ କରିିଥିଲା। ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ପ୍ରବାସୀ ଭାରତୀୟଙ୍କୁ ହାତଗୋଡ଼ ବାନ୍ଧି ତଡ଼ିଛି ଆମେରିକା। ତେବେ ସରକାର ଏସଂପର୍କରେ କୌଣସି ପ୍ରତିକ୍ରିୟା ଦେଇନଥିଲେ। କିନ୍ତୁ ଆଜି ଆମେରିକା ନିଜଆଡ଼ୁ ପ୍ରବାସୀ ଭାରତୀୟଙ୍କ ହାତକଡ଼ି ଓ ବେଡ଼ି ପିନ୍ଧା ଭିଡିଓ ସାମାଜିକ ଗଣମାଧ୍ୟରେ ପୋଷ୍ଟ କରିବା ପରେ ସତ ସାମନାକୁ ଆସିଛି। ଏଥିରେ ଚେତାବନୀ ଦିଆଯାଇଛି ଯେ ଯେଉଁମାନେ ବେଆଇନ ଭାବେ ଆମେରିକାରେ ପଶିବେ, ସେମାନଙ୍କ ପ୍ରତି ଏଭଳି ବ୍ୟବହାର କରାଯିବ। ସାମରିକ ବିମାନରେ ଲଦି ଛାଡ଼ି ଦିଆଯିବ।

ଗତକାଲି ଆମେରିକାରୁ ଫେରିଥିବା ଜଣେ ପ୍ରବାସୀ ମଧ୍ୟ ଆଜି ଏଭଳି ଉଦବେଗଜନକ କଥା ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ସେମାନଙ୍କୁ ଗିରଫ କରି ଗୋଟିଏ ଶିବିରରେ ରଖାଯାଇଥିଲା। ସେଠାରୁ ସେମାନଙ୍କୁ ସିଧା ବିମାନଘାଟୀକୁ ନିଆଯାଇଥିଲା। ବିମାନଘାଟୀ ନିଆଯିବା ପୂର୍ବରୁ ସେମାନଙ୍କୁ ହ୍ୟାଣ୍ଡକଫ୍ ଏବଂ ଗୋଡ଼ରେ ଚେନ୍ ବାନ୍ଧି ଦିଆଯାଇଥିଲା। ଅମୃତସର ବିମାନଘାଟୀରେ ଅବତରଣ କରିବା ପରେ ହ୍ୟାଣ୍ଡକଫ୍ ଓ ଶିକୁଳି ଖୋଲାଯାଇଥିଲା।

ଟ୍ରମ୍ପ ପ୍ରଶାସନ ସହିତ ମୋଦୀ ସରକାରର ଭଲ ସଂପର୍କ ଥିବା ବେଳେ ଭାରତୀୟଙ୍କ ପ୍ରତି ଆେମରିକା ଏଭଳି ଅମାନବୀୟ ବ୍ୟବହାର କାହିଁକି କଲା ବୋଲି ବିରୋଧୀ ଦଳମାନେ ଆଜି ସଂସଦରେ ପ୍ରଶ୍ନ କରି ସରକାରଙ୍କୁ ଘେରିଛନ୍ତି। ଆମେରିକା ସହ କଥାହୋଇ ପ୍ରବାସୀ ଭାରତୀୟଙ୍କୁ ସମ୍ମାନ ସହିତ ଫେରାଇ ଆଣିବା ଲାଗି ମୋଦୀ ସରକାର କାହିଁକି ବ୍ୟବସ୍ଥା କରୁ ନାହାନ୍ତି। ସମସ୍ତ କାର୍ଯ୍ୟ ବନ୍ଦ ରଖି ଏହା ଉପରେ ଆଲୋଚନା କରିବାକୁ ବିରୋଧୀ ଦାବି କରିଥିଲେ। ସେମାନେ ମୁଲତବୀ ପସ୍ତାବ ଆଗତ ମଧ୍ୟ କରିଥିଲେ। ବାଚସ୍ପତି ଏହାକୁ ଗ୍ରହଣ ନକରିବାରୁ ପାଟିତୁଣ୍ଡ କରିଥିଲେ ବିରୋଧୀ। ସେମାନେ ଗୃହ ବାହାରକୁ ଆସି ଅାମେରିକା ବିରୋଧରେ ସ୍ଲୋଗାନ ଦେବା ସହିତ ସରକାର ଏସଂପର୍କରେ ଟ୍ରମ୍ପ ପ୍ରଶାସନ ସହିତ ଆଲୋଚନା କରନ୍ତୁ ବୋଲି ଦାବି କରିଥିଲେ। କେତେକ ସାଂସଦ କହିଥିଲେ ଯେ କୋଭିଡ ସମୟରେ ବିଭିନ୍ନ ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଯେଉଁଭଳି ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା, ଆମେରିକାରେ ରହୁଥିବା ବେଆଇନ ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ସେହି ବ୍ୟବସ୍ଥା ଗ୍ରହଣ କରାଯାଉ। ଆମେରିକା ସହ କଥା ହୋଇ କଲମ୍ବିୟା ସରକାର ମଧ୍ୟ ଏଭଳି ରାସ୍ତା ବାହାର କରିଛନ୍ତି।


Share It

Comments are closed.