ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଚଢିଗଲା ବସ, ଘଟଣାସ୍ଥଳେ ୬ ମୃତ

Share It

ୟୁପି ମୁଜାଫରନଗର-ସହରନପୁର ହାଇୱେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପାଦରେ ଚାଲିଚାଲି ନିଜ ଗାଁକୁ ଯାଉଥିବା ୬ ଜଣ ଶ୍ରମିକଙ୍କୁ ଏକ ଦ୍ରୁତ ଗତିରେ ଆସିଥିବା ବସ ଚଢାଇ ଦେଇଛି । ସମସ୍ତ ଶ୍ରମିକଙ୍କ ଘଟଣାସ୍ଥଳେ ମୃତ୍ୟୁ ଘଟିଛି । ଏହି ଘଟଣାଟି ଘଲୋଲି ଚେକ ପୋଷ୍ଟ ଏବଂ ରୋହନା ଟୋଲ ପ୍ଲାଜା ନିକଟରେ ଘଟିଛି । ବୁଧବାର ଅଧରାତିରେ ଯେତେବେଳେ ଶ୍ରମିକ ପଞ୍ଜାବରୁ ବିହାର ଅଭିମୁଖେ ନିଜ ଗାଁକୁ ପାଦରେ ଚାଲିଚାଲି ଯାଉଥିଲେ ସେହି ସମୟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାଟି ଘଟିଥିଲା ।
କୁହାଯାଉଛି ଯେ, ଏହି ଦୁର୍ଘଟଣାଟି ରୋଡବେସ ବସ ଦ୍ୱାରା ଘଟିଛି । ଡ୍ରାଇଭର ଘଟଣାସ୍ଥଳୁ ଫେରାର ହୋଇଯାଇଛି । ପୋଲିସ ଅଜ୍ଞାତଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଏହି ଦୁର୍ଘଟଣା ରାତି ପ୍ରାୟ ୧୧.୪୫ରେ ଘଟିଛି । ପଞ୍ଜାବରେ କାମ କରୁଥିବା ଏହି ଶ୍ରମିକ ଅଧରାତିରେ ପାଦରେ ଚାଲି ସହାରନପୁର ଦେଇ ମୁଜାଫରନଗର ଯାଉଥିଲେ । ଏହି ସମୟରେ କୌଣସି ଏକ ରୋଡବେସ ବସ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳୁ ଫେରାର ହୋଇଯାଇଛି । ଏହି ଦୁର୍ଘଟଣାଟି ରୋଡବେସ ବସ ଦ୍ୱାରା ଘଟିଛି ଏବଂ ଏହା ଆଗ୍ରାରୁ ଆସୁଥିଲା । ପୋଲିସ ରାତିରେ ହିଁ ସମସ୍ତ ମୃତ୍ୟୁ ଦେହକୁ ପୋଷ୍ଟମର୍ଟନ ପାଇଁ ପଠାଇ ଦେଇଛି । ସମସ୍ତ ମୃତକଙ୍କ ଘର ବିହାର ଗୋପାଲଗଞ୍ଜ ବୋଲି ଜଣାପଡିଛି ।
ପ୍ରକାଶ ଥାଉକି, ଏହା ପୂର୍ବରୁ ମହାରାଷ୍ଟ୍ର ଔରାଙ୍ଗାବାଦରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ରେଳଲାଇନରେ ଶୋଇଥିବା ୧୬ ଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ଟ୍ରେନ ଚଢିଯାଇଥିଲା । ଶ୍ରମିକ ପାଦରେ ଚାଲି ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିଲେ । କ୍ଲାନ୍ତ ଲାଗିବା ହେତୁ ସମସ୍ତେ ଟ୍ରେନ ଲାଇନ ଉପରେ ଶୋଇପଡିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଟ୍ରେନ ଆସିବା ସଂପର୍କରେ ସେ ଜାଣି ପାରିନଥିଲେ ଏବଂ ଦ୍ରୁତ ଗତିରେ ଆସୁଥିବା ଟ୍ରେନଟି ତାଙ୍କ ଉପରେ ଚଢି ଯାଇଥିଲା ।


Share It

Comments are closed.