ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଓଡ଼ିଶା ରେଡ୍‌କ୍ରସ୍‌କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, – ସାମୁଦ୍ରିକ ବାତ୍ୟା ‘ୟଶ୍‌’ ପାଇଁ ନିରନ୍ତର ଉଦ୍ୟମ ଜାରୀ ରଖିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ଇଣ୍ଡିଆନ ରେଡ଼୍ କ୍ରସ୍ ସୋସାଇଟି(ଆଇଆରସିଏସ) ଓଡ଼ିଶା ଶାଖାର ସଭାପତି ପ୍ରଫେସର ଗଣେଶୀ ଲାଲଙ୍କ ସହ କଥା ହୋଇ ଓଡ଼ିଶା ରେଡକ୍ରସକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ବାତ୍ୟା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଥିବା ଜିଲ୍ଲାର ଲୋକମାନଙ୍କୁ ରିଲିଫ୍ ଏବଂ ସହାୟତା ପ୍ରଦାନ ପାଇଁ ଆଇଆରସିଏସ୍ ପ୍ରସ୍ତୁତ ଅଛନ୍ତି । ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଓଡ଼ିଶା ରେଡକ୍ରସକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ମହାମହିମ ରାଜ୍ୟପାଳଙ୍କୁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି । ଏହାସହ ସାମୁଦ୍ରିକ ବାତ୍ୟା ପାଇଁ ଓଡ଼ିଶାବାସୀଙ୍କୁ ସତର୍କ, ସୁରକ୍ଷିତ ରହିବା ସହ ରାଜ୍ୟ ଏବଂ କେନ୍ଦ୍ରୀୟ ସଂସ୍ଥାନ ଦ୍ୱାରା ଦିଆଯାଇଥିବା ନିୟମକୁ ପାଳନ କରିବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିରନ୍ତର ବାତ୍ୟାର ସ୍ଥିତି ଓ ଅବସ୍ଥିତି ନେଇ ଭାରତୀୟ ପାଣିପାଗର ମହାନିର୍ଦ୍ଦେଶକ ଡା. ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ବାତ୍ୟା ‘ୟଶ୍‌’ର ମୁକାବିଲା ପ୍ରସ୍ତୁତି ନେଇ ଏନଡ଼ିଆରଏଫ୍ ଡ଼ିଜି ସତ୍ୟ ନାରାୟଣ ପ୍ରଧାନଙ୍କ ସହ କ୍ରମାଗତ ଯୋଗାଯୋଗରେ ଅଛନ୍ତି । ସ୍ଥାନାନ୍ତରଣ କାର୍ଯ୍ୟର କ୍ରିୟାନ୍ୱୟନ, ଉଦ୍ଧାର, ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବା ପାଇଁ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ।


Share It

Comments are closed.