ସଂଗଠନ ଗଢିବାରେ ଦେବ ଭାଇଙ୍କର ତ୍ୟାଗ ଏବଂ ଦୃଢ ଇଚ୍ଛାଶକ୍ତି ଚିର ସ୍ମରଣୀୟ – ଧର୍ମେନ୍ଦ୍ର ପ୍ରଧାନ

Share It

ଭୁବନେଶ୍ୱର – ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ତଥା ଓଡ଼ିଶାରେ ରାଷ୍ଟ୍ରବାଦୀ ବିଚାର ପରିବାରର ଲମ୍ବା ସମୟର କୁଶଳି ସଂଗଠକ ଦେବେନ୍ଦ୍ର ମହାପାତ୍ରଙ୍କ ‘ଶ୍ରଦ୍ଧାଞ୍ଜଳି ସଭା’ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ସଭାପତି ସମୀର ମହାନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଶ୍ରୀ ପ୍ରଧାନ ଯୋଗଦେଇ କହିଛନ୍ତି ଯେ ସଂଘ ପରିବାରର ଜଣେ ବରିଷ୍ଠ କାର୍ଯ୍ୟକର୍ତା ବିଶେଷ ଭାବରେ ଓଡ଼ିଶାରେ ବିଜେପିର ସଂଗଠନକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଁଚାଇବା ପାଇଁ ସ୍ୱର୍ଗତ ଦେବ ଭାଇଙ୍କ କଠିନ ପରିଶ୍ରମ ଅତୁଳନୀୟ । କଠିନ ସମୟ ଓ ପ୍ରତିକୂଳ ପରିସ୍ଥିତିରେ ବି ବିଚାରଧାରା ଓ ସଂଗଠନ ଗଢିବାରେ ଦେବ ଭାଇଙ୍କର ତ୍ୟାଗ ଏବଂ ଦୃଢ ଇଚ୍ଛାଶକ୍ତି ଚିର ସ୍ମରଣୀୟ ହୋଇ ରହିବ ।
ଓଡ଼ିଶାରେ ରାଷ୍ଟ୍ରବାଦୀ ବିଚାର ପରିବାରର ଲମ୍ବା ସମୟର ଜଣେ କୁଶଳି ସଂଗଠକ ଦେବ ଭାଇ ଦଳର ସଂଗଠନକୁ ବ୍ୟବସ୍ଥିତ ଢାଂଚାରେ ଗଢ଼ିଥିଲେ । ଦେବ ଭାଇ ଭାରତୀୟ ଜନତା ପାର୍ଟିର ମୌଳିକ ବିଚାରଧାରାର ପ୍ରାଥମିକ ଶିକ୍ଷକ ଥିଲେ । ରାଜ୍ୟରେ ବିଜେପିକୁ ଲୋକପ୍ରିୟ କରିବାରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ‘ଶ୍ରଦ୍ଧାଞ୍ଜଳି ସଭା’ରେ ବିଜେପିର ବରିଷ୍ଠ କାର୍ଯ୍ୟକର୍ତାମାନେ ମଧ୍ୟ ସାମିଲ ହୋଇ ଦେବେନ୍ଦ୍ର ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ ।


Share It

Comments are closed.