ୟୁଜିସିର ବଡ଼ ଘୋଷଣା, ଏଣିକି ଛାତ୍ରଛାତ୍ରୀ ଗୋଟିଏ ଥରରେ ୨ଟି ପାଠ୍ୟକ୍ରମ ପଢ଼ିପାରିବେ

Share It

ଏଣିକି ଛାତ୍ରଛାତ୍ରୀ ଗୋଟିଏ ଥରରେ ୨ଟି ପାଠ୍ୟକ୍ରମ ପଢ଼ିପାରିବେ । ଦୁଇଟି ଭିନ୍ନ ବିଶ୍ୱବିଦ୍ୟାଳୟର ୨ଟି ପାଠ୍ୟକ୍ରମରେ ନାମଲେଖାଇ ଶିକ୍ଷାଗ୍ରହଣ କରିପାରିବେ । ଏନେଇ ମଙ୍ଗଳବାର ବଡ଼ ଘୋଷଣା କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ।

ନୂଆ ଜାତୀୟ ଶିକ୍ଷାନୀତିରେ ଛାତ୍ରଛାତ୍ରୀଙ୍କ ବହୁମୁଖୀ ଶିକ୍ଷାକୁ ଅନୁମତି ଦେବାକୁ ବ୍ୟବସ୍ଥା ରହିଥିଲା । ଏହି ହିସାବରେ ଆସନ୍ତା ୨୦୨୨-୨୩ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀମାନେ ଦୁଇଟି ବିଶ୍ୱବିଦ୍ୟାଳୟରେ ଦୁଇଟି ପାଠ୍ୟକ୍ରମରେ ନାମ ଲେଖାଇପାରିବେ । ଏନେଇ ଖୁବ୍‌ଶୀଘ୍ର ଗାଇଡ୍‌ଲାଇନ୍‌ ଜାରି କରାଯିବ ବୋଲି ୟୁଜିସି ଅଧ୍ୟକ୍ଷ ଏମ୍‌.ଜଗଦୀଶ କୁମାର ସୂଚନା ଦେଇଛନ୍ତି । ଏହି ନୂତନ ନିୟମ ୟୁଜିସିର ସମସ୍ତ ପାଠ୍ୟକ୍ରମ ଉପରେ ଲାଗୁ ହେବ । ଅର୍ଥାତ୍‌ ଶିକ୍ଷାର୍ଥୀ ସ୍ନାତକ (ୟୁଜି), ସ୍ନାତକୋତ୍ତର (ପିଜି), ଓ ପିଜି ଡିପ୍ଲୋମା ସାର୍ଟିଫିକେଟ୍‌ ପାଠ୍ୟକ୍ରମରେ ଏହାର ଲାଭ ଉଠାଇ ପାରିବେ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଗୋଟିଏ ସମୟରେ ୨ଟି ପାଠ୍ୟକ୍ରମ ପଢ଼ିବା ସହ ସମୟ ବଞ୍ଚାଇ ପାରିବେ ।

ବିଶ୍ୱବିଦ୍ୟାଳୟ ଏଭଳି ବ୍ୟବସ୍ଥାକୁ ଲାଗୁ କରିବେ କି ନାହିଁ ତାହା ସେମାନଙ୍କ ଇଚ୍ଛାଧୀନ ହେବ । ଯେଉଁ ବିଶ୍ୱବିଦ୍ୟାଳୟର ଏଥିରେ ଯୋଡ଼ି ହେବାକୁ ଚାହିଁବେ ସେମାନେ ସେହି ପାଠ୍ୟକ୍ରମ ଉପଲବ୍ଧ କରାଇବେ । ଏହି ସ୍ୱତନ୍ତ୍ର କୋର୍ସ ଅନଲାଇନ୍‌ ଓ ଅଫ୍‌ଲାଇନରେ କରାଯାଇ ପାରିବ। ଛାତ୍ରଛାତ୍ରୀ ଚାହିଁଲେ ଗୋଟିଏ ପାଠ୍ୟକ୍ରମ ଅନଲାଇନ୍‌ରେ ପଢ଼ି ଅନ୍ୟଟି ଶ୍ରେଣୀଗୃହରେ ପଢ଼ିପାରିବେ । ହେଲେ ଏସବୁ ଚୟନ କରାଯାଇଥିବା ବିଶ୍ୱବିଦ୍ୟାଳୟ ଓ ଉପଲବ୍ଧ ପାଠ୍ୟକ୍ରମ ଉପରେ ନିର୍ଭର କରେ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।


Share It

Comments are closed.