ଭୁବନେଶ୍ୱର,୦୩/୦୨: ରାଜଧାନୀରେ ଆଦିବାସୀ ଗାଁର ସଜୀବ ଅନୁଭୂତି। ଜଙ୍ଗଲ ସାମଗ୍ରୀ, ପାରମ୍ପରିକ ହସ୍ତଶିଳ୍ପ ସହ ଜନଜାତୀଙ୍କ ଚଳଣି ଓ ସଂସ୍କୃତିର ମନୋରମ ପ୍ରଦର୍ଶନ କରୁଛି ଆଦିବାସୀ ମେଳା–୨୦୨୬। ରାଜଧାନୀର ୟୁନିଟ–ୱାନ୍ ଆଦିବାସୀ ପଡ଼ିଆରେ ଏହି ମେଳା ଚାଲିଛି ଓ ଲୋକମାନଙ୍କୁ ଭଳିଭାବେ ଆକୃଷ୍ଟ କରୁଛି।

ଚଳିତବର୍ଷ ଆଦିବାସୀ ମେଳାରେ ୯୪ଟି ଆଦିବାସୀ ହାଟ, ୧୫ଟି କଳା ଓ ହସ୍ତଶିଳ୍ପ ଷ୍ଟଲ ସହିତ ସମୁଦାୟ ୧୦୯ଟି ଷ୍ଟଲ ଖୋଲାଯାଇଛି। ଏଠାରେ ଜଙ୍ଗଲଜାତ ଉତ୍ପାଦ, ପାରମ୍ପରିକ ଖାଦ୍ୟ ସାମଗ୍ରୀ, ହସ୍ତଶିଳ୍ପ, ବସ୍ତ୍ର, ଅଳଙ୍କାର ଓ ଜନଜାତୀଙ୍କ ଦୈନନ୍ଦିନ ଜୀବନରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମିଳୁଛି।
ମେଳାର ମୁଖ୍ୟ ଆକର୍ଷଣ ହେଉଛି ପ୍ରମୁଖ ଜନଜାତୀ ସମ୍ପ୍ରଦାୟଙ୍କ ସଂସ୍କୃତି, ଐତିହ୍ୟ ଓ ଚଳଣିକୁ ନେଇ ତିଆରି ହୋଇଥିବା ୧୦ଟି ପାରମ୍ପରିକ ଗୃହ। ଏହି ଗୃହମାନଙ୍କ ମାଧ୍ୟମରେ ଗଦବା, ସାନ୍ତାଳ, ପାଉଡ଼ି ଭୂୟାଁ, ଡଙ୍ଗରିଆ କନ୍ଧ, ଜୁଆଙ୍ଗ, ଲାଞ୍ଜିଆ ସଉରା, ହିଲ୍ ଖରିଆ, ମାଙ୍କିଡ଼ିଆ, କୁଟିଆ କନ୍ଧ, ଚୁଡ଼ିଆ ଭୁଞ୍ଜିଆ ଓ ବଣ୍ଡା ଜନଜାତୀଙ୍କ ଜୀବନଶୈଳୀ, ସ୍ଥାପତ୍ୟ ଶୈଳୀ ଓ ସାଂସ୍କୃତିକ ପରମ୍ପରାକୁ ସଜୀବ ଭାବେ ପ୍ରଦର୍ଶିତ କରାଯାଇଛି।
ଏହି ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀର ୩୨୫ ଜଣ ଆଦିବାସୀ ମହିଳା, ୫୭ ଜଣ ଆଦିବାସୀ ନୃତ୍ୟ ଦଳ ସହିତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ମିଶାଇ ପ୍ରାୟ ୧,୧୪୦ ଜଣ ଅଂଶଗ୍ରହଣ କରିଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ଆଦିବାସୀ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି।
ଓଡ଼ିଶା ଏକ ବିବିଧ ସଂସ୍କୃତିର ଭୂମି ଭାବେ ପରିଚିତ। ହଜାର ହଜାର ବର୍ଷ ଧରି ପ୍ରକୃତିର କୋଳରେ ବସବାସ କରିଆସୁଥିବା ଜନଜାତୀ ସମ୍ପ୍ରଦାୟଙ୍କ ଜୀବନଶୈଳୀ, ପରମ୍ପରା ଓ ଚିନ୍ତାଧାରା ସମାଜକୁ ଏକ ନୂତନ ଦିଗ୍ଦର୍ଶନ ଦେଇଆସୁଛି। ସେହି ପରମ୍ପରାକୁ ସଂରକ୍ଷଣ କରିବା ସହ ସାଧାରଣ ଲୋକଙ୍କ ସାମ୍ନାକୁ ଆଣିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ବିଭାଗ ପକ୍ଷରୁ ଆଦିବାସୀ ମେଳା ଆୟୋଜନ କରାଯାଉଛି।
ଗତବର୍ଷ ଆଦିବାସୀ ମେଳାରେ ପ୍ରାୟ ୯ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ, ଚଳିତବର୍ଷ ଏହାଠାରୁ ଅଧିକ ବ୍ୟବସାୟ ହେବ ବୋଲି ବିଭାଗ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି।
Comments are closed.