ଚୈତ୍ର ମଙ୍ଗଳବାରରେ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି ମା ମଙ୍ଗଳା
କାକଟପୁର,୧୦/୦୩:ଚୈତ୍ରମାସର ପ୍ରଥମ ମଙ୍ଗଳବାର ଅବସରରେ ପୁରୀ ଜିଲ୍ଲାର କାକଟପୁର ମା ମଙ୍ଗଳା ମନ୍ଦିର ରେ ଆଜି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ପ୍ରତିବର୍ଷ ଭଳି ଏହି ପବିତ୍ର ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ମନ୍ଦିରକୁ ପହଞ୍ଚିଛନ୍ତି।ଆଜି ଭୋର୍ ୨ଟାରୁ ମନ୍ଦିରର ପହୁଡ଼ ଖୋଲାଯାଇ ମାଙ୍କ ସ୍ନାନ, ମାର୍ଜନା ଓ ନିତ୍ୟନୀତି ପୂଜା ଆରମ୍ଭ ହୋଇଥିଲା। ପରେ ମାଙ୍କୁ ଆକର୍ଷଣୀୟ ରାଜରାଜେଶ୍ୱରୀ ବେଶରେ ଶୃଙ୍ଗାର କରାଯାଇ ଭକ୍ତମାନଙ୍କୁ ଦର୍ଶନ ଦିଆଯାଉଛି। ମାଙ୍କ ଏହି ଦୁର୍ଲଭ ବେଶ ଦେଖିବା ପାଇଁ ସକାଳୁ ସକାଳୁ ମନ୍ଦିର ପରିସରରେ ଭକ୍ତମାନଙ୍କ ଲମ୍ବା ଲାଇନ୍ ଲାଗିଥିବା ଦେଖାଯାଇଛି।
ଭକ୍ତମାନଙ୍କ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ପୁଲିସ ଓ ସେବାୟତମାନେ ମିଶି ଭିଡ଼ ନିୟନ୍ତ୍ରଣ କରୁଛନ୍ତି, ଯାହାଦ୍ୱାରା ଭକ୍ତମାନେ ସୁବିଧାରେ ମାଙ୍କ ଦର୍ଶନ କରିପାରୁଛନ୍ତି।
ଚୈତ୍ର ମାସର ମଙ୍ଗଳବାର ଓଷାକୁ ମା ମଙ୍ଗଳାଙ୍କ ପୂଜାରେ ବିଶେଷ ମହତ୍ତ୍ୱ ରହିଥାଏ। ଏହି ଦିନ ମାଙ୍କୁ ଦର୍ଶନ କଲେ ମନୋକାମନା ପୂରଣ ହୁଏ ବୋଲି ଭକ୍ତମାନଙ୍କ ଆସ୍ଥା ରହିଛି। ସେଥିପାଇଁ ଆଜି ମନ୍ଦିର ପରିସରରେ ଭକ୍ତମାନଙ୍କ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି।
Comments are closed.