ଟିଏମସି ପ୍ରସଙ୍ଗବିହୀନ ନିର୍ବାଚନ ଲଢୁଛି, ବିଜେପିର ବିଜୟ ନିଶ୍ଚୟ :ଧର୍ମେନ୍ଦ୍ର ପ୍ରଧାନ

Share It

କୋଲକାତା/ହଳଦିଆ,୩୦/୦୩:ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ବିଜେପିର ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କାନ୍ଥି ଓ ହଳଦିଆ ଗସ୍ତ କରି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । 

ହଳଦିଆ ଠାରେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନାମାଙ୍କନ ପୂର୍ବରୁ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ ଶ୍ରୀ ପ୍ରଧାନ । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ସରକାରକୁ କଡ଼ା ସମାଲୋଚନା କରି ସେ କହିଛନ୍ତି, ରାଜ୍ୟରେ ଯୁବକମାନେ ବେରୋଜଗାର, ମହିଳାଙ୍କ ସୁରକ୍ଷା ବିପନ୍ନ ଏବଂ କୃଷକମାନେ ସେମାନଙ୍କ ହକ୍ ପାଇଁ ସଂଘର୍ଷ କରୁଛନ୍ତି । ଟିଏମସି ପାଖରେ ଜନତାଙ୍କୁ କହିବା ପାଇଁ କୌଣସି ବିକାଶମୂଳକ ମୁଦ୍ଦା ନାହିଁ । ନନ୍ଦୀଗ୍ରାମ ପରିବର୍ତ୍ତନର ପ୍ରତୀକ ଏବଂ ଏଥର ମଧ୍ୟ ଏହି ମାଟି ଇତିହାସ ରଚିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ‘ସବକା ସାଥ୍, ସବକା ବିକାଶ’ର ସଂକଳ୍ପ ବଙ୍ଗଳା ମାଟିରେ ସାକାର ହେବ । ବିଜେପି ସରକାରରେ ପଶ୍ଚିମବଙ୍ଗ ଦୁର୍ନୀତିମୁକ୍ତ ହେବ । ପରିବର୍ତ୍ତନର ସଂକଳ୍ପ ଏବେ ଜନସାଧାରଣଙ୍କ ସ୍ୱର ହୋଇଥିବା ବେଳେ ବଙ୍ଗଳାର ବିକାଶ ପାଇଁ ‘ଡବଲ୍ ଇଞ୍ଜିନ’ ସରକାରର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହା ପୂର୍ବରୁ କାନ୍ଥି ଲୋକସଭା କ୍ଷେତ୍ରର ପ୍ରବାସୀ କାର୍ଯ୍ୟକର୍ତ୍ତାଙ୍କ ସହ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହୋଇଥିଲେ ଶ୍ରୀ ପ୍ରଧାନ । ଏହି ଅବସରରେ ସେ କହିଛନ୍ତି,  ନିର୍ବାଚନ ଜିତିବା ପାଇଁ ବୁଥ୍ ସ୍ତରରେ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ପରାମର୍ଶ ଦିଆଯାଇଛି । ସରକାରଙ୍କ ବିଫଳତା ଓ କେନ୍ଦ୍ରର ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ବୈଠକରେ ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ଜେ.ପି.ଏସ୍ ରାଠୋର ଏବଂ କାନ୍ଥି ସାଂସଦ ସୌମେନ୍ଦୁ ଅଧିକାରୀ ଉପସ୍ଥିତ ଥିଲେ ।


Share It

Comments are closed.